ପିପିଲିରେ ପାନୀୟ ଜଳ ସଙ୍କଟ, ୫ ପଞ୍ଚାୟତର ଲୋକେ ପ୍ରଭାବିତ

ପିପିଲି : ପୁରୀ ଜିଲ୍ଲା ପିପିଲିରେ ପାଣି ମିଳୁନି । ପିଇବାକୁ ମିଳୁନି ସ୍ବଚ୍ଛ ପାଣି । ପ୍ରଭାବିତେ ହେଲେଣି ୫ ପଞ୍ଚାୟତର ଲୋକେ । ନା ଜିଲ୍ଲା ପ୍ରଶାସନ ନା ସ୍ଥାନୀୟ ପ୍ରଶାସନ କେହି ବି ଦୃଷ୍ଟି ଦେଉନାହାନ୍ତି । ବ୍ଲକ୍ ବିଡିଓ ବି ଦେଉନାହାନ୍ତି ଧରାଛୁଆଁ । ଦେଖନ୍ତୁ ଏହି ଦୃଶ୍ୟ । କେଉଁଠି ଷ୍ଟାଣ୍ଡପୋଷ୍ଟ ଭାଙ୍ଗିକି ପଡିଛି ତ ଆଉ କେଉଁଠି ଅଧପନ୍ତରିଆ ଅବସ୍ଥାରେ ପଡିରହିଛି ପାଣି ଟାଙ୍କି । ଆଉ କେଉଁଠି ପାଣି ଟାଙ୍କି ଘରେ ତାଲା ପଡିଛି । ପିପିଲି ବ୍ଳକର ଦାଣ୍ଡମୁକୁନ୍ଦପୁର , ରୂପଦେଇପୁର, ।ଯଶୁଆପୁର, ବୀର ପୁରୁଷୋତ୍ତମପୁର ପଞ୍ଚାୟତର ଅନେକ ଗାଁରେ ଏଭଳି ସମସ୍ୟା । ପାଣି ପାଇଁ ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଲୋକେ । ବାଧ୍ୟ ହୋଇ ନଦୀ ନାଳ ଗୋଳିଆ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି ଲୋକେ ।ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ଜିଲ୍ଲା ପରିଷଦ ସଭାରେ ଆପତ୍ତି ଉଠାଇଥିଲେ । କୁହାଗଲା ୧୯୧୬ ଟୋଲ ଫ୍ରି ନମ୍ବରରେ କଲ କରି କହିଲେ ସମସ୍ୟାର ସମାଧାନ ହେବ । ଲୋକେ ଏହି ନମ୍ବରରେ କଲ୍ କରିବା ପରେ ଉତ୍ତର ଆସିଲା କେବଳ ମରାପତି ହୋଇପାରିବ । କିନ୍ତୁ ଜଳ ଅଭାବ ସମସ୍ୟା ପାଇଁ ଏ ନମ୍ବରଟି ଉଦ୍ଦିଷ୍ଟ ନୁହେଁ ।
ଲୋକେ ବ୍ଲକ୍ ବିଡିଓଙ୍କ ପାଖକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ନନ୍ଦିଘୋଷ ଟିଭି ପ୍ରତିନିଧି ବିଡିଓଙ୍କୁ ବାରମ୍ବାର ଯୋଗାଯୋଗ କଲେ ବି ବିଡିଓ ବାବୁଙ୍କର ଉତ୍ତର ଆସୁନି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖୋଦ ବ୍ଲକ୍ ଅଧ୍ୟକ୍ଷାଙ୍କ କଥାକୁ ବିଡିଓ ଖାତିର କରୁନାହାନ୍ତି । ପ୍ରଶାସନିକ ଅବହେଳାରୁ ପିପିଲିରେ ଦେଖା ଦେଇଥିବା ପାନୀୟ ଜଳ ସଙ୍କଟର କେବେ ସମାଧାନ ହେଉଛି ତା ଉପରେ ସମସ୍ତଙ୍କର ନଜର ରହିଛି ।