ପରଲୋକରେ ଆଡଭର୍ଟାଇଜିଂ ଲିଜେଣ୍ଡ ପୀୟୂଷ ପାଣ୍ଡେ

ନନ୍ଦିଘୋଷ ବ୍ୟୁରୋ : ଆଉନାହାନ୍ତି ଆଡଭର୍ଟାଇଜିଂ ଲିଜେଣ୍ଡ ପୀୟୂଷ ପାଣ୍ଡେ। ଫେଭିକଲ ଓ ଭୋଡାଫୋନ ଲାଗି ବିଜ୍ଞାପନ ସକାଶେ ଖ୍ୟାତି ଅର୍ଜନ କରିଥିବା ପୀୟୂଷ ୭୦ ବର୍ଷରେ ଇହଲୀଳା ସମ୍ବରଣ କରିଛନ୍ତି। ଅନେକ ଲୋକପ୍ରିୟ ବିଜ୍ଞାପନ ପ୍ରସାରଣ କରି ସେ କିମ୍ବଦନ୍ତୀ ସାଜିଥିଲେ। ତାଙ୍କ ମୃତ୍ୟୁରେ କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲଙ୍କ ସମେତ ବହୁ ବିଶିଷ୍ଟ ବ୍ଯକ୍ତି ଶୋକବ୍ୟକ୍ତ କରିଛନ୍ତି। କାଡବରୀ ଲାଗି କୁଛ ଖାସ ହୈ ସ୍ଲୋଗାନଠାରୁ ଆରମ୍ଭ କରି ଏସିଆନ ପେଣ୍ଟସର ହର ଖୁସି ମେ ରଙ୍ଗ ଲାୟେ ସମେତ ଭୋଡାଫୋନର ବିଜ୍ଞାପନ ଲାଗି ସେ ଖ୍ଯାତି ଅର୍ଜନ କରିଥିଲେ। ଏପରିକି ୨୦୧୪ରେ ଅବ କି ବାର୍ ମୋଦି ସରକାର ସ୍ଲୋଗାନ ସୃଷ୍ଟି କରି ସେ ସାରା ରାଜନୀତି ଜଗତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ୧୯୫୫ରେ ଜନ୍ମିତ ପୀୟୂଷ ନିଜ ପ୍ରତିଭା ଲାଗି ପଦ୍ମଶ୍ରୀ ସମ୍ମାନରେ ବିଭୂଷିତ ହୋଇଥିଲେ। ଅମିତାଭ ବଚ୍ଚନଙ୍କ ସହ ପୋଲିଓ ବିଜ୍ଞାପନ, ଫେଭିକଲ ବସ୍ ଫେଭିକଲ ଫିସ୍ ଫେଭିକଲ ସୋଫା, ଫେଭିକଲ କ୍ବିକ, ପଣ୍ଡସ୍, ଚଲ ମେରି ଲୁନା, ବେଲ୍ ବଜାଓ, କ୍ୟାନସର ରୋଗୀ ସଂଘ ଲାଗି ଧୂମପାନ ନିରୋଧୀ ଅଭିଯାନରେ ନିଜର ପାରଦର୍ଶିତା ପ୍ରତିପାଦନ କରିଥିଲେ ପୀୟୂଷ।