ପେଗାସସ୍ ପ୍ରସଂଗରେ ସରକାର ଆଲୋଚନା ନ କରିବା ଯାଏଁ ପଛକୁ ହଟିବୁ ନାହିଁ: ବିରୋଧୀ

ନୂଆଦିଲ୍ଲୀ: ସରଗରମ ହେଉଛି ସଂସଦର ମୌସୁମୀ ଅଧିବେଶନ । କୃଷି ଆଇନକୁ ନେଇ ବିରୋଧୀ ସରକାରଙ୍କୁ ସମାଲୋଚନା କରୁଥିବାବେଳେ ଏବେ ପେଗାସସ୍ ପ୍ରସଙ୍ଗ ଗୃହକୁ ସରଗରମ କରିଛି । ବିରୋଧୀ ଏ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଦାବି କରୁଥିବାବେଳେ ଶାସକ ବିଜେପି ନିଜ ଜିଦରେ ଅଟଳ ରହିଛି । ଆଜି ରାଜ୍ୟସଭା ଆରମ୍ଭରୁ ବିରୋଧୀ ହୋହଲ୍ଲା କରିବା ଫଳରେ ଗୃହ ଅପରାହ୍ନ ୧୨ଟା ଯାଏଁ ମୁଲତବି କରାଯାଇଥିଲା । ରାଜ୍ୟସଭା ବାହାରେ ଅକାଳୀ ଦଳର ସାଂସଦମାନେ କୃଷି ଆଇନକୁ ନେଇ ପ୍ରତିବାଦ କରିବା ସହ ଆଇନ୍ ପ୍ରତ୍ୟାହାର ପାଇଁ ଦାବି କରିଥିଲେ । ସେପଟେ ଲୋକସଭାରେ ପେଗାସସ୍ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଅଡି ବସିଥିଲେ, ଗୃହରେ ଖେଲା ହବେର ନାରା ଲଗାଇଥିଲେ କଂଗ୍ରେସ, ଟିଏମସି ସହ ଅନ୍ୟ ବିରୋଧୀ ସାଂସଦ । ଯାହାଫଳରେ ଗୃହ ମୁଲତବି କରିଥିଲେ ବାଚସ୍ପତି । ମୋଦି ସରକାର ଜାଣିଶୁଣି ଗୃହ ଚଲାଇ ଦେଉନଥିବା ଅଭିଯୋଗ କରିଛନ୍ତି ବିରୋଧୀ । କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କହିଛନ୍ତି, ପ୍ରଥମେ ସଂସଦରେ ପେଗସସ ପ୍ରସଙ୍ଗରେ ଆଲୋଚନା ହେଉ । କାରଣ ଏହି ପ୍ରସଙ୍ଗ ଦେଶର ସୁରକ୍ଷା ସହ ଜଡିତ ଅଟେ । ଏଣୁ ସରକାର ଯେ ପର୍ଯ୍ୟନ୍ତ ଏହି ପ୍ରସଙ୍ଗରେ ଆଲୋଚନା କରି ନାହାଁନ୍ତି ବିରୋଧୀ ପଛକୁ ହଟିବେ ନାହିଁ ବୋଲି କହିଛନ୍ତି ରାହୁଲ ଗାନ୍ଧିଙ୍କ ସହ ତମାମ ବିରୋଧୀ । ପେଗାସସକୁ ବ୍ୟବହାର କରି ପ୍ରଧାନମନ୍ତ୍ରୀ ଦେଶର ଗଣତନ୍ତ୍ର ଆତ୍ମାକୁ କୁଠାରଘାତ କରିଥିବା ସେ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶୋଇଥିବା ବେଳେ ଚଢ଼ିଗଲା ଟ୍ରକ,୧୮ ମୃତ : ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

Leave a Reply