ନନ୍ଦିଘୋଷ ବ୍ୟୁରୋ : ରୁଷ ରାଷ୍ଟ୍ରପତିଙ୍କୁ ଗୀତା ଉପହାର ଦେଲେ ମୋଦି ରୁଷର ରାଷ୍ଟ୍ରପତି ପୁଟିନକୁ ଏକ ନିଆରା ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ପୁଟିନଙ୍କୁ ସେ ଏକ ଗୀତା ଉପହାର ଦେଇଛନ୍ତି। ଗୀତା ହେଉଛି ବିଶ୍ଵର ଅନ୍ୟତମ ଶ୍ରେଷ୍ଠ ଆଧ୍ଯାତ୍ମିକ ଗ୍ରନ୍ଥ। ଗୀତାର ଦର୍ଶନ ଉପରେ ଆଧାରିତ ସତ୍ଯ ସନାତନ ହିନ୍ଦୁ ଧର୍ମ। ସେପଟେ ଆଜି ଦୁଇ ନେତାଙ୍କ ମଧ୍ୟରେ ଦ୍ଵିପାକ୍ଷିକ ସଂପର୍କ ନେଇ ଆଲୋଚନା ହେବ। ପ୍ରଥମେ ଦିନ ୧୧ଟାରେ ରାଷ୍ଟ୍ରପତି ଭବନକୁ ଯିବେ ପୁଟିନ। ସେଠାରେ ତାଙ୍କୁ ସ୍ଵାଗତ କରାଯିବ। ସେଠାରୁ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଶ୍ରଦ୍ଧାଞ୍ଜଳି ଦେବେ ପୁଟିନ। ଏହା ପରେ ହାଇଦ୍ରାବାଦ ହାଉସରେ ଭାରତ-ରୁଷିଆ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି ଓ ପୁଟିନ। ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା। ଅନେକ ଚୁକ୍ତି ମଧ୍ୟ ସ୍ଵାକ୍ଷରିତ ହେବ। ସଂଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ପୁଟିନଙ୍କ ପାଇଁ ନୈଶଭୋଜିର ଆୟୋଜନ କରାଯାଇଛି। ରାତି ୯ଟାରେ ରୁଷ ଫେରିଯିବେ ପୁଟିନ। ତେବେ ଦୁଇ ଦେଶ ମଧ୍ୟରେ ବଡ଼ଧରଣର ପ୍ରତିରକ୍ଷା ଚୁକ୍ତି ସ୍ଵାକ୍ଷରିତ ହେବା ସମ୍ଭାବନା ରହିଛି । ନୂଆ ମିସାଇଲ ଡିଫେନ୍ସ ସିଷ୍ଟମ, ନୂଆ ଅତ୍ୟାଧୁନିକ ଯୁଦ୍ଧ ବିମାନ କିଣିପାରେ ଭାରତ। ଏହା ସହିତ ତୈଳ କିଣା ପ୍ରସଙ୍ଗ ନେଇ ମଧ୍ୟ କିଛି ଚୁକ୍ତି ହୋଇପାରେ। ଆମେରିକାର ଟ୍ରେଡ ମାଡ ପରିପ୍ରେକ୍ଷୀରେ ପୁଟିନଙ୍କ ଭାରତ ଗସ୍ତ ଗୁରୁତ୍ବପୂର୍ଣ୍ଣ ହୋଇଛି। ସାମରିକ ଓ ବାଣିଜ୍ୟିକ ସହଯୋଗ ଆହୁରି ବଢ଼ିବ ବୋଲି କୁହାଯାଉଛି। ଭାରତକୁ ପ୍ରଯୁକ୍ତିବିଦ୍ୟା, S-500, ସୁଖୋଇ 57, ଶସ୍ତା ତେଲ ଏବଂ ରୁଷ ସହିତ ବଡ଼ ପରିମାଣର ବାଣିଜ୍ୟ କାରବାର ନେଇ ବଡ଼ ଡିଲ୍ ଆଶା କରାଯାଉଛି।

