ଟୀକାକରଣ ନେଇ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜାନୁଆରୀ ୧୬ ତାରିଖରେ ଦେଶରେ ଟୀକାକରଣ ହେବାକୁ ଯାଉଛି। ଯେଉଁଥିପାଇଁ ସୋମବାର ଦିନ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅପରାହ୍ନ ୪ଟାରେ ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ମୋଦି। ଏହି ବୈଠକରେ କରୋନା ଟିକା ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ ଏହି ବୈଠକ ବେଶ୍‌ ଗୁରୁତ୍ୱ ବହନ କରୁଛି। ପ୍ରଥମ ପର୍ଯ୍ୟାୟରେ କେଉଁ ରାଜ୍ୟ କେତେ ଟିକା ପାଇବେ, ତା ଉପରେ ରହିପାରେ ଫୋକସ। ଦୁଇଟି କୋଭିଡ ଟିକାର ଉପଲବଧି ପରିମାଣ ସହ ରାଜ୍ୟର ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇ କେତେ ଟିକା ମିଳିବା କଥା, ମୁଖ୍ୟମନ୍ତ୍ରୀମାନେ ପ୍ରସ୍ତାବ ରଖିପାରନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବେ।

ନିକଟ ଅତୀତରେ ସେରମ୍ ଇନଷ୍ଟିଚ୍ୟୁଟ ସହ ଆଲୋଚନା ବେଳେ ଓଡ଼ିଶାକୁ ଟିକା ପ୍ରଦାନରେ ପ୍ରାଥମିକତା ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଟୀକାକରଣ ପାଇଁ ଓଡ଼ିଶାର ୩ ଲକ୍ଷ୨୮ ହଜାର ୬୫୦ ସ୍ୱାସ୍ଥ୍ୟ କର୍ମୀ ଚିହ୍ନଟ ହୋଇଛନ୍ତି ।

ସୂଚନାଯୋଗ୍ୟ, ଜାନୁଆରୀ ୧୬ ତାରିଖରୁ ସମଗ୍ର ଦେଶରେ ଟୀକାକରଣ ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମେ ଫ୍ରଣ୍ଟ୍ ଲାଇନ୍ କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ। ଦେଶବ୍ୟାପୀ ଏମାନଙ୍କ ସଂଖ୍ୟା ୩ କୋଟି ବୋଲି ଆକଳନ କରାଯାଇଛି।

ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ତଥା ଗମ୍ଭୀର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଟିକା ଦିଆଯିବ। ଏହା ପରେ ୫୦ ବର୍ଷରୁ କମ ବୟସ୍କଙ୍କୁ ଟିକା ଦିଆଯିବ। ଏହି ଶ୍ରେଣୀରେ ମୋଟ ୨୭ କୋଟି ଲୋକଙ୍କୁ ଟିକା ଦିଆଯିବ। ସର୍ବମୋଟ ୩୦ କୋଟି ନାଗରିକଙ୍କୁ ଟିକା ଦେବା ପାଇଁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି।

ଟୀକାକରଣକୁ ସୂଚାରୁ ରୁପେ ତୁଲାଇବା ପାଇଁ ନିକଟରେ ଦେଶର ସମସ୍ତ ରାଜ୍ୟରେ ଡ୍ରାଏ ରନ୍ ଚାଲିଥିଲା। ଓଡ଼ିଶାର ୩୦ ଜିଲ୍ଲାରେ ମଧ୍ୟ ଡ୍ରାଏ ରନ୍ ହୋଇଛି। ଟୀକାକରଣ କେନ୍ଦ୍ରରେ ୩ କକ୍ଷ ରହିବ। ପ୍ରଥମ କକ୍ଷରେ ଟିକା ନେବାକୁ ଆସିଥିବା ବ୍ୟକ୍ତି ଅପେକ୍ଷା କରିବେ। ସେଠାରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯିବ। ଦ୍ୱିତୀୟ କକ୍ଷରେ ଟିକା ଦିଆଯିବ। ତୃତୀୟ କକ୍ଷରେ ଟିକା ନେଇଥିବା ବ୍ୟକ୍ତି ୩୦ ମିନଟ ପର୍ଯ୍ୟନ୍ତ ଅପେକ୍ଷା କରିବେ। ସେଠାରେ ତାଙ୍କ ଉପରେ ତାଲିମପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ଟିକାର ପ୍ରତିକ୍ରିୟା ଉପରେ ନଜର ରଖିବେ।

Leave a Reply