କେବେ କାର୍ଯ୍ୟକ୍ଷମ ହେବ ପ୍ରାଣଦେଇପୁର ବ୍ୟାରେଜ ?

ପୋଲସରା  : ଚାଷ ହେବ ସୁଗମ । ୫୦ ହଜାରରୁ ଉର୍ଦ୍ଧ୍ଵ ହେକ୍ଟର ଚାଷ ଜମି ହେବ ଜଳସେଚିତ । ଏହି ଲକ୍ଷ୍ୟ ନେଇ ୨୦୧୬ ମସିହାରେ ଗଞ୍ଜାମ ପୋଲସରା ବ୍ଲକ ପ୍ରାଣଦେଇପୁର ବ୍ୟାରେଜ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ପୂର୍ବ ସରକାର । ପ୍ରାଣଦେଇପୁର ଗାଁରେ ବାଘୁଆ ନଦୀ ଉପରେ ବ୍ୟାରେଜ କାମ ଜୋରସୋରରେ ଚାଲିଥିଲା । ବ୍ୟାରେଜ କାମ ସରିଥିଲେ ହାତୀଓଟ ଗାଁ ସମେତ ତଳିମୁଣ୍ଡରେ ଥିବା ୫୦ରୁ ଅଧିକ ଗାଁର ୫୦ ହଜାରରୁ ଉର୍ଦ୍ଧ୍ଵ ହେକ୍ଟର ଚାଷଜମି ଜଳସେଚିତ ହୋଇଥାନ୍ତା । ହେଲେ ସରକାର ବଦଳିବା ପରେ ଠିକାଦାରଙ୍କ ମନମାନି ଆରମ୍ଭ ହୋଇଯାଇଛି । ୮୦  ଭାଗ କାମ ସରିଥିଲେ ସୁଦ୍ଧା ବ୍ୟାରେଜକୁ ବିଦ୍ୟୁତ ସଂଯୋଗ ସହ ପଥର ପିଚିଂ କରାଯାଇନାହିଁ । ଜଳସଂପଦ ବିଭାଗ ମଧ୍ଯ ଏନେଇ ଦୃଷ୍ଟି ଦେଉନି ।

ବ୍ୟାରେଜଟି ଅଧପନ୍ତରିଆ ଭାବେ ଥିବାରୁ ଚାଷୀ ଉଠାଜଳସେଚନ ଉପରେ ନିର୍ଭର କରୁଛନ୍ତି । ଏପଟେ ବ୍ୟାରେଜ ସାରା ଲତାବୁଦା ମାଡିଗଲାଣି । ଯାହାକୁ ନେଇ ଚାଷୀଙ୍କ ମହଲରେ ଉଦବେଗ ସୃଷ୍ଟି ହୋଇଥିବା ବେଳେ ଏହାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଚାଷୀ ଅଭିଯୋଗ କରିଛନ୍ତି । ଅନ୍ୟପଟେ ବ୍ୟାରେଜର ଆନୁଷଙ୍ଗିକ କାମ ଦୁଇ ମାସ ମଧ୍ୟରେ ଶେଷ ହୋଇ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି ବ୍ରହ୍ମପୁର କ୍ଷୁଦ୍ର ଜଳସେଚନ ଅଧୀକ୍ଷଣ ଯନ୍ତ୍ରୀ । ବ୍ୟାରେଜଟି କାର୍ଯ୍ୟକ୍ଷମ ହେଉଛି ନା ଅଧୀକ୍ଷଣ ଯନ୍ତ୍ରୀଙ୍କ ପ୍ରତିଶୃତି ପାଣିର ଗାର ପାଲଟୁଛି ତାହା ସମୟ କହିବ ।