ଛତିଶା ନିଯୋଗ ବୈଠକରେ ରଥଯାତ୍ରା ନୀତି ନିର୍ଘଣ୍ଟ

1 min read

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ଛତିଶ ନିଯୋଗ ବୈଠକରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି । ଚଳିତବର୍ଷ ରଥଯାତ୍ରା ଦିନ ସକାଳ ୬ଟାରୁ ମଙ୍ଗଳ ଆଳତି ନୀତି ଅନୁଷ୍ଠିତ ହେବ । ସକାଳ ୯ଟା ସୁଦ୍ଧା ରଥ ପ୍ରତିଷ୍ଠା ନୀତି କରାଯାଇ ୯ଟା ୩୦ରେ ପହଣ୍ଡି ଆରମ୍ଭ କରାଯିବ । ଅପରାହ୍ନ ୪ଟାରେ ରଥ ଟଣା ନୀତି କରାଯିବାକୁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି l

ସେହିପରି ଜୁନ ୧୧ ତାରିଖ ଦିନ ପଡୁଥିବା ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଘଣ୍ଟ ମଧ୍ୟ ସ୍ଥିର ହୋଇଛି । ଭୋର ୫ଟାରୁ ପହଣ୍ଡି ଆରମ୍ଭ କରାଯାଇ ଦିନ ୧୨ଟା ୨୦ରୁ ୧ଟା ୪୫ମଧ୍ୟରେ ଶ୍ରୀବିଗ୍ରହଙ୍କ ଜଳ ବିଜେ, ପୂଜା ଓ ସ୍ନାନ ନୀତି କରାଯିବ l ଅପରାହ୍ନ ୪ଟା ୩୦ରେ ହାତୀବେଶ ଅନୁଷ୍ଠିତ ହେବ । ବାହୁଡା ଦିନ ଅପରାହ୍ନ ୪ଟା ସୁଦ୍ଧା ରଥ ଟାଣିବା ପାଇଁ ନୀତି ନିର୍ଘଣ୍ଟ କରାଯାଇଥିବାବେଳେ ଜୁଲାଇ ୬ ତାରିଖ ମହାପ୍ରଭୁଙ୍କର ରଥ ଉପରେ ସୁନାବେଶ ସନ୍ଧ୍ୟା ୫ଟାରୁ ୬ଟା ୩୦ମଧ୍ୟରେ କରାଯିବାକୁ ନୀତି ନିର୍ଘଣ୍ଟ କରାଯାଇଛି l

ନୀଳାଦ୍ରି ଭକ୍ତ ନିବାସରେ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ଏହି ସବୁ ନୀତି ନିର୍ଘଣ୍ଟ ଆଲୋଚନା କରାଯାଇ ସ୍ଥିର କରାଯାଇଛି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିବାବେଳେ ଆଗାମୀ ରାଜେନ୍ଦ୍ରାଭିଷେକ ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ନୀତି ନିର୍ଘଣ୍ଟ ସ୍ଥିରୀକୃତ କରାଯାଇଛି l ଗତବର୍ଷ ଆଡପ ମଣ୍ଡପ ବିଜେ ସମୟରେ ଚାରମାଳ ଉପରେ ବଳଭଦ୍ର ମହାପ୍ରଭୁ ପଡିଯିବା ଘଟଣାକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା । ବିଭିନ୍ନ ସେବାୟତ ନିଯୋଗ ପକ୍ଷରୁ ଅନେକ ପ୍ରସ୍ତାବ ପ୍ରଦାନ କରାଯାଇଥିଲା l ଏ ସମସ୍ତ ପ୍ରସ୍ତାବ ଉପରେ ଆଲୋଚନା କରାଯାଇ ଶୃଙ୍ଖଳିତ ରଥଯାତ୍ରା କରାଇବା ନେଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ମତ ରଖିଛନ୍ତି l

ଚଳିତବର୍ଷ ଛତିଶା ନିଯୋଗରେ ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଥିବାବେଳେ ପରିଚାଳନା କମିଟି ଗଠନ ହୋଇ ନଥିବାରୁ ଏହି ନୀତି ନିର୍ଘଣ୍ଟକୁ ନେଇ ଏକ ସ୍ୱତନ୍ତ୍ର ବୈଠକରେ ଅନୁମୋଦନ କରାଯାଇ ରଥଯାତ୍ରା ସମାପନ କରାଯିବ ବୋଲି ମୁଖ୍ୟ ପ୍ରଶାସକ ମତ ରଖିଛନ୍ତି l ତେବେ ପରିଚାଳନା କମିଟି ଗଠନ ନେଇ ସରକାରଙ୍କର ଅନୁମୋଦନ ଅପେକ୍ଷାରେ ରହିଥିବା ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଥିବାବେଳେ ସମସ୍ତଙ୍କ ସହଯୋଗରେ ମହାପ୍ରଭୁଙ୍କ ଆଶୀର୍ବାଦରେ ଶୃଙ୍ଖଳିତ ଭାବେ ରଥଯାତ୍ରା କରିବା ନେଇ ଲକ୍ଷ୍ୟ ରଖାଯାଇଛି l ଆଜିର ବୈଠକରେ ମହାପ୍ରଭୁଙ୍କର ରାଜେନ୍ଦ୍ରାଭିଷେକ ନୀତି ଠାରୁ ନୀଳାଦ୍ରି ବିଜେ ନୀତି ପର୍ଯ୍ୟନ୍ତ ସମସ୍ତ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ନେଇ ସେବାୟତମାନେ ମତ ରଖିଥିଲେ l ବୈଠକରେ ଜିଲ୍ଲାପାଳ, ଏସପିଙ୍କ ସମେତ ବିଭିନ୍ନ ନିଯୋଗର କର୍ମକର୍ତା ଯୋଗ ଦେଇଥିଲେ ।

ନଜର ପକାନ୍ତୁ