ପୋଲସରା ବ୍ଲକ ଢୁଙ୍କାପଡ଼ା ଗାଁ ନିକଟ ଦହି ମୁଣ୍ଡିଆ ପାହାଡ଼ରେ ଚାଲିଛି ପଥର ଖନନ, ବନ୍ଦ କରିବାକୁ ଦାବି

1 min read

ପୋଲସରା : ପାହାଡ଼ ଉପରେ ଚାଲିଛି ପଥର ଖନନ । ବଡ଼ ବଡ଼ ମେସିନ ଲଗାଇ କଟାଯାଉଛି ପାହାଡ଼। ବିନା ପଲ୍ଲୀସଭାରେ ପଥର ଖନନକୁ ଗ୍ରାମବାସୀଙ୍କ ବିରୋଧ । ଗଞ୍ଜାମ ଜିଲ୍ଲାର ପୋଲସରା ବ୍ଲକ ଅଧିନ ଢୁଙ୍କାପଡ଼ା ଗାଁ ନିକଟ ଦହି ମୁଣ୍ଡିଆ ପାହାଡ଼ରେ ଚାଲିଛି ପଥର ଖନନ । ଏହି ପାହାଡ଼କୁ ସ୍ଥାନୀୟ ଅଞ୍ଚଳର ଲୋକେ ଦେବତା ଭାବେ ପୂଜା କରିଥାନ୍ତି । ବର୍ଷା ନହେଲେ ଏହି ପାହାଡ଼ ଉପରେ ଦହି ଚୁଡ଼ା ପୂଜା କଲେ ବର୍ଷା ହୋଇଥାଏ ବୋଲି ଲୋକଙ୍କ ବିଶ୍ଵାସ ରହିଛି । ଏପରିକି ଏହି ପାହାଡ ତଳିରେ ବହୁ ବନ୍ୟଜନ୍ତୁ ମଧ୍ୟ ନିର୍ଭୟରେ ବସବାସ କରିଥାନ୍ତି । କିନ୍ତୁ ଗଲା କିଛି ବର୍ଷ ହେବ ବ୍ରହ୍ମପୁରର ଏକ ଘରୋଇ କମ୍ପାନୀ ବିନା ପଲ୍ଲୀସଭାରେ ଏହି ପାହାଡ଼ରୁ ପଥର ଖନନ କରୁଥିବା ଅଭିଯୋଗ ହୋଇଛି । ତୁରନ୍ତ ପଥର ଖନନକୁ ବନ୍ଦ କରାନଗଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

ପଥର ଖନନ ସାଙ୍ଗକୁ ଗାଁ ରାସ୍ତା ଦେଇ ଦୈନିକ ବହୁ ଭାରିଯାନ ଯାତାୟତ କରୁଛି । ଅନେକ ସମୟରେ ଦୁର୍ଘଟଣା ଘଟିବା ସହିତ ଧୂଳି ଉଡୁଥିବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି । ବର୍ଷ ବର୍ଷର ବିଶ୍ଵାସ ଭାଜନ ହୋଇଥିବା ପାହାଡ଼କୁ ଫଟା ଯାଉଥିବାରୁ ଢୁଙ୍କାପଡ଼ା ଗାଁ ଲୋକେ ବିରୋଧ କରିଛନ୍ତି । ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପଥର ଖନନ ବନ୍ଦ ହୋଇପାରିନାହିଁ । ଯାହାକୁ ନେଇ ଏବେ ଗାଁରେ ଆନ୍ଦୋଳନ ଦାନା ବାନ୍ଧୁଛି । ସେପଟେ ସବୁ ନିତିନିୟମକୁ ପାଳନ କରାଯାଇ ସରକାରୀ ସ୍ତରରେ ଲିଜ୍ ମିଳିଥିବା କହିଛନ୍ତି ଘରୋଇ କମ୍ପାନୀର ମ୍ୟାନେଜର । ଅନ୍ୟପଟେ ଭଞ୍ଜନଗର ଉପ-ଜିଲ୍ଲାପାଳ ମଧ୍ୟ ଘଟଣାକୁ ଗୁରୁତ୍ଵର ଭାବେ ଗ୍ରହଣ କରି ଅନୁଧ୍ୟାନ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି । ଢୁଙ୍କାପଡ଼ା ଗାଁ ଲୋକଙ୍କ ବିଶ୍ଵାସକୁ ସମ୍ମାନ ଜଣାଇ ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରି ମୁଣ୍ଡିଆ ପାହାଡ଼ରେ ପଥର ଖନନ ବନ୍ଦ କରିବାର ଦାବି ହୋଇଛି ।