ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର, ସବସିଡି ଦରରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର : ପ୍ରତି ପଞ୍ଚାୟତରେ ଖୋଲିବ ପୋଷଣ କେନ୍ଦ୍ର । ସବସିଡି ଦରରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ । ମଧ୍ୟବିତ୍ତଙ୍କୁ କରାଯିବ ସାମିଲ । ବିଳମ୍ବିତ ପଦକ୍ଷେପକୁ ନେଇ ବିରୋଧୀଙ୍କ ସମାଲୋଚନା ।.. ..ଶେଷରେ ଲୋକଙ୍କ କଥା ମନେ ପଡିଲା । ଦରବୃଦ୍ଧିରେ ହନ୍ତସନ୍ତ ଲୋକଙ୍କୁ ଆଶ୍ବସ୍ତି ଦେବାକୁ ଅଣ୍ଟାଭିଡିଛନ୍ତି । ସରକାର ପୋଷଣ କେନ୍ଦ୍ର ଜରିଆରେ ସବସିଡି ଦରରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବେ । ପ୍ରତି ପଞ୍ଚାୟତରେ ପୋଷଣ କେନ୍ଦ୍ର ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ପାଇଲଟ ପ୍ରକଳ୍ପ ଭାବେ ୫ଟି ପୋଷଣ କେନ୍ଦ୍ର ଖୋଲିବ । ଏଥିରେ ଚାଉଳ, ଅଟା, ଡ଼ାଲି, ଚିନି, ଲୁଣ, ତେଲ ଯୋଗାଇବେ ସରକାର । ଏହି ସବୁ କେନ୍ଦ୍ରରେ କାହାକୁ କେତେ ପରିମାଣର ସାମଗ୍ରୀ ମିଳିବ, ତାର ଗାଇଡଲାଇନ ପ୍ରସ୍ତୁତ ହେଉଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି।

ଦରଦାମ୍ ବୃଦ୍ଧିକୁ ନେଇ ସାଧାରଣ ଲୋକଙ୍କ ଭିତରେ ଅସନ୍ତୋଷ ରହିଛି। ବିଜେପିର ବର୍ଷେ ଶାସନ ଭିତରେ ଅହେତୁକ ଭାବେ ବଢିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦରଦାମ । ସରକାର ଆଳୁ ଯୋଗାଇବାରେ ମଧ୍ୟ ଫେଲ ହୋଇଛନ୍ତି । ତେଣୁ ସରକାରଙ୍କ ଉପରେ ଚାପ ଅଛି । ସେଥିପାଇଁ ଏଭଳି ଯୋଜନା ଘୋଷଣା କରିବାକୁ ସରକାର ବାଧ୍ୟ ହେଉଛନ୍ତି । ଖାଉଟିଙ୍କୁ ବୁଝାଇବା ପାଇଁ ସରକାର ଏଭଳି ଆଇ ଓ୍ବାସ୍ କାର୍ଯ୍ୟକ୍ରମ କରୁଛନ୍ତି । ମଧ୍ୟବିତ୍ତ ଓ ଗରିବ ଏହି ସରକାର ସମୟରେ ଅଧିକ ଶୋଷିତ ହୋଇଛି ବୋଲି ବିଜେଡି କହିଛି। ଏଭଳି ଯୋଜନା ଘୋଷଣା କରି ସରକାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି କଂଗ୍ରେସ କହିଛି । ବର୍ତ୍ତମାନ ୩ କୋଟି ୨୬ ଲକ୍ଷ ହିତାଧିକାରୀ ଖାଦ୍ୟ ସୁରକ୍ଷାରେ ଅନ୍ତର୍ଭୁକ୍ତ ଥିବା ବେଳେ ରାସନ ଦୋକାନରୁ ଚାଉଳ ଓ ଗହମ ପାଉଛନ୍ତି । ଜନ ପୋଷଣ କେନ୍ଦ୍ର ହେଲେ ପ୍ରାୟ ୫୦ ଲକ୍ଷ ଅଧିକ ହିତାଧିକାରୀ ସାମିଲ ହୋଇପାରନ୍ତି ବୋଲି ସରକାର ଆକଳନ କରିଛନ୍ତି ।