କୁନୋ ନ୍ୟାସନାଲ ପାର୍କରେ ପ୍ରଧାନମନ୍ତ୍ରୀ ଛାଡ଼ିଲେ ୮ ଚିତା

1 min read

ଭୋପାଳ: ସଫଳ ହେଲା ପ୍ରୋଜେକ୍ଟ ଚିତା । କଳ୍ପନାଜଳ୍ପନାର ଅବସାନ । ୮ ଆଫ୍ରିକୀୟ ଚିତାଙ୍କ ନୂଆ ଠିକଣା ମଧ୍ୟପ୍ରଦେଶ କୁନୋ ନ୍ୟାସନାଲ ପାର୍କ । ବାଘଙ୍କୁ ପାର୍କରେ ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଛନ୍ତି- ପ୍ରକୃତିପ୍ରେମୀଙ୍କ ଚେତନାରେ ଜାଗ୍ରତ ହେବ ନୂଆ ଭାବନା । ଏନେଇ ସେ ନାମିବ୍ୟା ସରକାରଙ୍କୁ ଜଣାଇଛନ୍ତି କୃତଜ୍ଞତା । ଆଜି ସକାଳେ ନାମିବ୍ୟାରୁ B-747 ବିମାନରେ ପହଞ୍ଚିଥିଲେ ଚିତା ।

ବିମାନ ଗୋଆଲିୟର ମହାରାଜପୁରା ଏୟାରବେସରେ ଅବତରଣ କରିବା ପରେ ସେମାନଙ୍କୁ ବାୟୁସେନାର ଚିନୁକ ହେଲିକପ୍ଟରରେ 165 କିଲୋମିଟର ଦୂର କୁନୋ ନ୍ୟାସନାଲ ପାର୍କକୁ ନିଆଯାଇଥିଲା । ଚିତାଙ୍କୁ ସ୍ବାଗତ କରିବା ଲାଗି ସେଠାରେ ଉପସ୍ଥିତ ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହାରାଜପୁରା ଏୟାରବେସ ଭାରତୀୟ ବାୟୁସେନା ଦ୍ବାରା ପରିଚାଳିତ । ଚିତାମାନଙ୍କୁ କୌଣସି ପ୍ରକାର ନିସ୍ତେଜକ ଦିଆଯାଇ ନଥିଲା । ଛଡ଼ାଯିବାବେଳେ ଚିତାମାନେ ବେଶ୍ ସତେଜ ଥିବା ପରିଲକ୍ଷିତ ହୋଇଥିଲା ।

ଚିତାଙ୍କ ସହ ଆସିଛନ୍ତି ବିଶେଷଜ୍ଞ ଡାକ୍ତର ଲରି ମାର୍କର । ଚିତା ସଂରକ୍ଷଣ ପାଣ୍ଠି ବା ସିସିଏଫ ପକ୍ଷରୁ ପ୍ରେରିତ ଚିତାମାନଙ୍କ ଉପରେ ସ୍ବତନ୍ତ୍ର ଦୃଷ୍ଟି ରଖାଯାଇଛି । ଉତ୍ତମ ପରିବେଶ, ସବୁଜିମା ଓ ଯଥେଷ୍ଟ ପ୍ରାକୃତିକ ଖାଦ୍ୟ ଉପଲବ୍ଧ ହେଉଥିବାରୁ ଚିତାମାନଙ୍କ ଲାଗି କୁନୋ ପାର୍କକୁ ଚୟନ କରାଯାଇଥିଲା । ଚିତାମାନଙ୍କ ରହିବା ଉପରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ପିସିସିଏଫ ଜେଏସ ଚୌହ୍ବାନ । ବର୍ତ୍ତମାନ ବିଶ୍ବରେ ମାତ୍ର 7 ହଜାର ଚିତା ରହିଛନ୍ତି । ପ୍ରୋଜେକ୍ଟ ଚିତା ହେଉଛି ବିଶ୍ବର ପ୍ରଥମ ଆନ୍ତଃମହାଦେଶୀୟ ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ ।