ପୁଣି ସାଂସଦ ଅପରାଜିତାଙ୍କ ବିରୋଧରେ ଜନଆକ୍ରୋଶ

ଭୁବନେଶ୍ବର: ପିଛା ଛାଡ଼ୁନି ଅପରାଜିତାଙ୍କ ବିରୋଧରେ ଜନଆକ୍ରୋଶ । ଖାଲି ଲୋକଙ୍କୁ ଧୋକା ନୁହେଁ ଲୋକଙ୍କ ଟଙ୍କା ବି ଲୁଟିଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଯେଉଁଥିପାଇଁ ଭୁବନେଶ୍ବର ଜୟଦେବ ନିର୍ବାଚନ ମଣ୍ଡଳୀରେ ମହିଳାଙ୍କ ବିରୋଧର ଶିକାର ହୋଇଛନ୍ତି ଅପରାଜିତା । ବାଲିପାଟଣାରେ ମୁହାଁମୁହିଁ ହୋଇଛନ୍ତି ମହିଳା ଓ ସାଂସଦ । ମହିଳାଙ୍କ ଅଭିଯୋଗ ଅନୁସାରେ ଅଜିତା ସଂସ୍ଥା ନାଁରେ ରୋଜଗାର ଦେବାର ଲୋଭ ଦେଖାଇ ଜଣ ପିଛା ୫୦ ଟଙ୍କା ଲେଖାଏଁ ମାଗିଥିଲେ ସାଂସଦ । ସିଲାଇ ଓ ବଡ଼ି ପାମ୍ପଡ଼ କାମ କରି ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ ସ୍ବପ୍ନ ଦେଖାଇଥିଲେ । ହେଲେ ସାଂସଦ ଅପରାଜିତାଙ୍କ କାର୍ଯ୍ୟକାଳ ସରିବାକୁ ବସିଥିବାବେଳେ ଏଯାଏଁ କୌଣସି ପ୍ରତିଶ୍ରୁତି ପୂରା ହେଲାନି କି ଟଙ୍କା ମଧ୍ୟ ଫେରାଗଲାନି । ଅପରାଜିତା ଜୟଦେବ ନିର୍ବାଚନମଣ୍ଡଳୀ ଯାଇଥିବାବେଳେ ତାଙ୍କୁ କଳାପତାକା ଦେଖାଇବା ସହିତ ଟଙ୍କା ଫେରାଇବାକୁ ଦାବି କରିଥିଲେ ମହିଳା । ଲୋକଙ୍କର ଏଭଳି ବିରୋଧ ଦେଖି ଉତ୍ତ୍ୟକ୍ତ ହୋଇଯାଇଥିଲେ ସାଂସଦ । ଅପରାଜିତାଙ୍କ ଭଡ଼ାଟିଆ ଗୁଣ୍ଡା ମହିଳାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ହକ୍ ମାଗୁଥିବା ମହିଳାଙ୍କ ଉପରକୁ ଟେକାପଥର ମାରିବା ସହିତ ଗୋଇଠା ମାରିବାକୁ ବି ପଛାଇନଥିଲେ ଅପରାଜିତାଙ୍କ ବାଉନସର । ଘଟଣାସ୍ଥଳରେ ବାଲିପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ନିଜ ସଂସଦୀୟ କ୍ଷେତ୍ରରେ ବାରମ୍ବାର ଲୋକଙ୍କ ବିରୋଧର ଶିକାର ହୋଇଛନ୍ତି ଅପରାଜିତା । ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିବା ପରେ ଲୋକଙ୍କ ପାଖକୁ ଯାଉନଥିବାରୁ ସାଂସଦଙ୍କ ବିରୋଧରେ ଆକ୍ରୋଶ ବଢିବାରେ ଲାଗିଛି ।