କେନ୍ଦ୍ର ବିରୋଧରେ କର୍ଣ୍ଣାଟକ, କେରଳ ଓ ତାମିଲନାଡୁରେ ତେଜିଲା ଆନ୍ଦୋଳନ

ନୂଆଦିଲ୍ଲୀ: ଦେଶର ଦକ୍ଷିଣାଞ୍ଚଳରେ ନିଜର ଅସ୍ତିତ୍ବ ଜାହିର କରିବାକୁ ସଂଘର୍ଷ କରୁଥିବା ଶାସକ ବିଜେପି ଦଳକୁ ଲାଗିଛି ଶକ୍ତ ଧକ୍କା । କେନ୍ଦ୍ର ବିରୋଧରେ ତେଜିଛି ଦାକ୍ଷିଣାତ୍ଯ ରାଜ୍ୟଙ୍କ ଆନ୍ଦୋଳନ । ପ୍ରତିବାଦ ଆନ୍ଦୋଳନରେ ଏକ ହୋଇଛନ୍ତି କର୍ଣ୍ଣାଟକ, କେରଳ ଓ ତାମିଲନାଡୁ । ବଡ଼କଥା ହେଉଛି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଦିଲ୍ଲୀ ମୁଖ୍ଯମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।

ଗତକାଲି ଦିଲ୍ଲୀ ଯନ୍ତରମନ୍ତରରେ କର୍ଣ୍ଣାଟକ ପ୍ରଥମେ ବିକ୍ଷୋଭ କରିଥିବାବେଳେ ଆଜି ଆଉ ୨ ରାଜ୍ୟ କେରଳ ଓ ତାମିଲନାଡୁ ସାମିଲ ହୋଇଛନ୍ତି । ରାଜ୍ୟ ବିକାଶରେ ପାଣ୍ଠି ଯୋଗାଣରେ ପାତରଅନ୍ତର ଅଭିଯୋଗ କ୍ରମେ ଏହି ଆନ୍ଦୋଳନ ହେଉଛି । ଗତକାଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଓ ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସମେତ ବହୁ ବିଧାୟକ ଓ ମନ୍ତ୍ରୀ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ ।

ତିନି ରାଜ୍ୟର ଅଭିଯୋଗ ହେଉଛି, କେନ୍ଦ୍ର ସରକାର ଏହି ସବୁ ରାଜ୍ଯଗୁଡ଼ିକୁ ପାତରଅନ୍ତର କରୁଛନ୍ତି ଏବଂ ଆବଶ୍ୟକତା ଅନୁସାରେ ପାଣ୍ଠି ଯୋଗାଡ଼ କରୁନାହାନ୍ତି । ଶିବକୁମାର ଅଭିଯୋଗ କରିଥିଲେ, ଜିଏସଟି ପ୍ରଦାନ କରିବା କ୍ଷେତ୍ରରେ କର୍ଣ୍ଣାଟକ ଦ୍ବିତୀୟ ସ୍ଥାନରେ ଥିବା ସତ୍ତ୍ବେ ରାଜ୍ୟ ସରକାର ଆଶାନୁରୂପ ଭାଗ ପାଉନାହାନ୍ତି ।