ସିଧାସଳଖ ଲୋକଙ୍କ ସହ ଯୋଡ଼ି ହେବ ସିଏମଓ, ଫୋନରେ ଅଭିଯୋଗ ଶୁଣିବେ ଅଧିକାରୀ

1 min read

ଭୁବନେଶ୍ବର: ଲୋକଙ୍କ ସମସ୍ୟାକୁ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ସମାଧାନ । ଲୋକଙ୍କ ସହ ସିଧା ସଳଖ ଯୋଡ଼ି ହେବ ସିଏମଓ କାର୍ଯ୍ୟାଳୟ l ଜନ ଶୁଣାଣି ସହ ଫୋନରେ ସିଧାସଳଖ ଅଭିଯୋଗ ଶୁଣିବେ ସରକାରୀ ଅଧିକାରୀ l ଆସନ୍ତା ମାସରୁ ଜନ ଅଭିଯୋଗ ଶୁଣାଣିକୁ ଜୋରଦାର କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଚଳଚଞ୍ଚଳ ପୂରା ଶାସନ କଳ l

ଲୋକଙ୍କ ଅଭିଯୋଗ ଆଧାରରେ କାମ ହେଉଛି କି ନାହିଁ ତାହାର ତଦାରଖ କରିବ ସିଏମଓ l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜନ ଅଭିଯୋଗ ଶୁଣାଣିକୁ ଅଧିକ ତ୍ବରାନିତ କରିବା ଉପରେ ଫୋକସ କରିବା ପରେ ଅଧିକ ସଜାଗ ହୋଇଛି ପୂରା ପ୍ରଶାସନିକ ବ୍ୟବସ୍ଥା l ସବୁ ବିଭାଗ, ଜିଲ୍ଲାସ୍ତରରୁ ରାଜ୍ୟସ୍ତରକୁ ଆସୁଥିବା ଅଭିଯୋଗର ତୁରନ୍ତ ସମାଧାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି l ଆସନ୍ତା ମାସରୁ ସବୁ ବିଭାଗର ଜନ ଅଭିଯୋଗ ଶୁଣାଣି ମୋ ସରକାର ଅଧୀନରେ ଆସିବ l ସାଧାରଣ ଲୋକ ଯେମିତି କୌଣସି ଅସୁବିଧାରେ ନପଡିବେ ସେ ନେଇ ବର୍ଷ ବର୍ଷ ଧରି ମୁଖ୍ୟମନ୍ତ୍ରୀ ତାଙ୍କ ଶାସନରେ ଜନ ଅଭିଯୋଗ ଶୁଣାଣିକୁ ପ୍ରାଧାନ୍ୟ ଦେଇଛନ୍ତି l ଯେଉଁଥି ପାଇଁ ସିଏମଓ ଅଫିସ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଜଣାଇ ତାହାର ସମାଧାନ କରୁଛନ୍ତି ବୋଲି ଜଣାଇବେ ବୋଳି କହିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ।

ଏହାରି ଭିତରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ୨୦ଟି ଜିଲ୍ଲାରେ ଜନ ଅଭିଯୋଗ ଶୁଣାଣି କରାଯାଇଛି l ଜିଲ୍ଲାସ୍ତରୀୟ ଅଭିଯୋଗ ଶୁଣାଣିରେ ୧୮ ହଜାରରୁ ଅଧିକ ଅଭିଯୋଗ ଆସିଥିବା ବେଳେ ବହୁ ଅଭିଯୋଗର ସ୍ପଟ ଉପରେ ସିଏମଓ କାର୍ଯ୍ୟାଳୟ ସମାଧାନ କରିଛନ୍ତି । ପରବର୍ତ୍ତୀ ସମୟରେ ମୁଖ୍ୟମନ୍ତ୍ରୀଙ୍କ ପାଖରେ ସମସ୍ୟା ସମ୍ପର୍କରେ ଅବଗତ କରାଯାଇ ଅନ୍ୟ ସମସ୍ୟାର ତୁରନ୍ତ ସମାଧାନ କରାଯାଇଛି l ପୂର୍ବରୁ ସାଂସଦ, ବିଧାୟକ, ଜନ ପ୍ରତିନିଧିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସମସ୍ୟା ସମାଧାନ କରିବା ପାଇଁ l ଆଗରୁ ପ୍ରତି ସୋମବାର ଜିଲ୍ଲାପାଳ ଅଭିଯୋଗ ଶୁଣୁଥିବାବେଳେ ଏବେ ବିଡିଓ ପ୍ରତି ପଞ୍ଚାୟତକୁ ଯାଇ ଜନ ଅଭିଯୋଗ ଶୁଣାଣି କରିବେ l ଘର ପାଖରେ ପ୍ରଶାସନ ପହଞ୍ଚି ଲୋକଙ୍କ ସୁଖ ଦୁଃଖର ସାଥୀ ହେବାକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଉଦ୍ୟମ କରିଆସୁଛନ୍ତି ବୋଲି ବିଜେଡି କହିଛି l