spot_img

Latest Posts

ପ୍ରଦୂଷଣ ପ୍ରମାଣପତ୍ର ନାଁରେ ଲୋକେ ହନ୍ତସନ୍ତ, ଅବଧି ବଢିଥିଲେ ଘାରିଛି ଫାଇନ କଟିବାର ଭୟ…

ଭୁବନେଶ୍ବର : କାହାକୁ ପୁରୁଣା ଫାଇନ ପାଇଁ ପ୍ରଦୂଷଣ ପ୍ରମାଣପତ୍ର ମିଳି ପାରୁନି ତ ଆଉ କେହି କେହି ମିଛ ଚାଲାଣର ଅଭିଯୋଗ ଆଣୁଛନ୍ତି । ହେଲେ ଚାଲାଣ କଟିଛି ମାନେ ଫାଇନ ଦେବାକୁ ପଡ଼ିବ । ତାହା ପୁଣି ୧୦ ହଜାର ଟଙ୍କାର ଫାଇନ । ଚାଲାଣ କ୍ଲିୟର ନ କଲେ ପ୍ରଦୂଷଣ ଟେଷ୍ଟିଂ ହୋଇ ପାରିବ ନାହିଁ । ଚାଲାଣକୁ ପିୟୁସିସିରୁ ଅଲଗା ନ କରିବାରୁ, ହଇରାଣ ହେଉଛନ୍ତି ସାଧାରଣ ଲୋକ । ସେପଟେ କେତେବେଳ ସରକାର କହୁଛନ୍ତି ଗ୍ରିନ ଷ୍ଟିକର ବାଧ୍ୟତାମୂଳକ ତ ପୁଣି ୟୁ-ଟର୍ଣ୍ଣ ନେଇ ଏହାକୁ ମନା କରୁଛନ୍ତି । ସରକାରଙ୍କ ମନମୁଖୀ ଶାସନ ଲୋକଙ୍କୁ ଆର୍ଥିକ, ମାନସିକ ଓ ଶାରୀରିକ ସ୍ତରରେ ଦୁର୍ବଳ କରୁଥିବା ଯୁବ ବିଜେଡି ଅଭିଯୋଗ କରିଛି । ଏହା ବିରୋଧରେ ସୋସିଆଲ ମିଡିଆରେ ଯୁବ ବିଜେଡି ଆରମ୍ଭ କରିବ କ୍ୟାମ୍ପେନ । ଯାହାର ଶୀର୍ଷକ ରହିବ କମଲ କା ଫୁଲ ଲୋଗୋଁ କା ଭୁଲ । ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଆନ୍ଦୋଳନ କରିବାକୁ ବିଜେଡି ସଜବାଜ ହେଉଛି । ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ଆଗରେ ବିଜେଡି ପିକେଟିଂ ବି କରିବ । ସରକାରଙ୍କ ତ୍ରୁଟୁପୂର୍ଣ୍ଣ ନୀତି ବିରୋଧରେ ଲୋକଙ୍କୁ ସଚେତନ ବି କରିବ । ମାଳମାଳ ଗାଡ଼ି ଠିଆ କରିବ । କେତେ ଗାଡ଼ି ହଟାଇ ପାରିବେ ସରକାର ବୋଲି ଯୁବ ବିଜେଡି ଆହ୍ବାନ ଦେଇଛି । ଗୋଟାଏ ପଟେ ଗାଡ଼ି ମୋଟରକୁ ସରକାର ପ୍ରଦୂଷଣ ପାଇଁ ଦାୟୀ କରୁଛନ୍ତି, ସେପଟେ କିପରି ମାଳମାଳ ଗଛ କାଟୁଛନ୍ତି ବୋଲି ଯୁବ ବିଜେଡି ପ୍ରଶ୍ନ କରିଛି । ସେହିପରି ପ୍ରଦୂଷଣ କରୁଥିବା ଶିଳ୍ପ ସଂସ୍ଥାର ମାଲିକଙ୍କ ଉପରେ କେତେ ଫାଇନ କଟାଯାଇଛି ବୋଲି ପ୍ରଶ୍ନ କରିଛି ଯୁବ ବିଜେଡି ।

ପିୟୁସିସି ପାଇଁ ଆଜି ବି ପ୍ରଦୂଷଣ ଟେଷ୍ଟିଂ ସେଣ୍ଟର ଆଗରେ ଲମ୍ବା ଲାଇନ ଦେଖିବାକୁ ମିଳୁଛି । ମାର୍ଚ୍ଚ ୩୧ ଯାଏଁ ସିନା ଅବଧି ବଢାଇଛନ୍ତି ସରକାର, ହେଲେ କେତେବେଳେ କି ଚାଲାଣ କଟିଯାଉଛି ସେଇ ଦ୍ବନ୍ଦ୍ବରେ ଦିନ କାଟୁଛନ୍ତି ଲୋକ । କିଛି ଲୋକଙ୍କୁ ତ ବାରମ୍ବାର ଟେଷ୍ଟିଂ ପାଇଁ ଧାଇଁବାକୁ ପଡ଼ୁଛି । କାରଣ ମନରେ ରହିଛି ଫାଇନର ଭୟ । ପ୍ରଦୂଷଣ ପ୍ରମାଣପତ୍ର ପାଇଁ ଭୟର ବାତାବରଣ ଖେଳି ଯାଇଛି । ବିନା ସଚେତନାରେ ଏହା କରାଯାଇଥିବାରୁ ଜନଅସନ୍ତୋଷ ବଢୁଛି । ଏହା ବିରୋଧରେ ମିଳିତ ଆନ୍ଦୋଳନର ଆବଶ୍ୟକତା ରହୁଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

Latest Posts

Don't Miss