ଶ୍ରୀକ୍ଷେତ୍ରରେ ନିଆରା ପରମ୍ପରା, କାକୁଡିଖାଇଙ୍କୁ କାକୁଡି ବଳି

ପୁରୀ: ଶ୍ରୀକ୍ଷେତ୍ରରେ ଦଶହରାରେ ସ୍ବତନ୍ତ୍ର ବିଧି ପରମ୍ପରା ରହିଥିବା ବେଳେ ଏଠାରେ ଦୁର୍ଗାଙ୍କୁ ଗୋଷାଣୀ ରୂପରେ ପୂଜା କରାଯାଏ । ଶ୍ରୀମନ୍ଦିର ଓ ବିଭିନ୍ନ ପୀଠ ମାନଙ୍କରେ ଶନିବାର ମହାଷ୍ଟମୀ ପାଳିତ ହେଉଥିବା ବେଳେ ପୂଜାମଣ୍ଡପ ଗୁଡିକରେ ଅନୁଷ୍ଠିତ ହେଉଛି ମହାସପ୍ତମୀ । ତ୍ରିଦିନାତ୍ମକ ପୂଜାରେ ମାଆ ବିମଳାଙ୍କ ନିକଟରେ ଗୁପ୍ତ ଵିଧି ଅନୁଯାୟୀ ପୂଜାର୍ଚ୍ଚନା ଅନୁଷ୍ଠିତ ହେଉଥିବା ବେଳେ ବିମଳାଙ୍କ ପ୍ରତିନିଧି ସ୍ବରୂପ କାକୁଡିଖାଇଙ୍କୁ ଦର୍ଶନ କରି କାକୁଡି ବଳି ଦେବାର ନିଆରା ପରମ୍ପରା ରହିଛି ।

ଶାରଦୀୟ ପୂଜାରେ ଶ୍ରୀକ୍ଷେତ୍ରରେ ଦେଖିବାକୁ ମିଳିଛି ଉତ୍କଳୀୟ ପରମ୍ପରାର ଦୃଶ୍ୟ । ଦୁର୍ଗୋତ୍ସବ ଷୋଡଶ ଦିନାତ୍ମକ ପୂଜା ଵିଧି ଅନୁସାରେ ପାଳନ କରାଯିବା ସହ ଶ୍ରୀମନ୍ଦିରରେ ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କ ନିକଟରେ ସ୍ବତନ୍ତ୍ର ପୂଜା ଅନୁଷ୍ଠିତ ହୋଇଥାଏ । ତ୍ରିଦିନାତ୍ମକ ପୂଜା ସମୟରେ ମାଆଙ୍କ ନିକଟରେ ମହାପୂଜା ବସିବା ସହ ଚଣ୍ଡୀପାଠ, ତ୍ରିକାଳ ପୂଜା ବ୍ୟତୀତ ନିଶାର୍ଦ୍ଧରେ ହୁଏ ଅନେକ ଗୁପ୍ତ ନୀତି । ବିମଳାଙ୍କ ନିକଟରେ ମହାପୂଜା ସମୟରେ ମହିଳା ଭକ୍ତଙ୍କ ଦର୍ଶନରେ ବାରଣ ରହିଥିବାରୁ ମାଆ କାକୁଡି ଖାଇଙ୍କୁ ଏହି ସମୟରେ ବିମଳାଙ୍କ ପ୍ରତିନିଧି ଭାବେ ଦର୍ଶନ କରି ଆଶିଷ ଭିକ୍ଷା କରନ୍ତି ଶ୍ରଦ୍ଧାଳୁ । ଅଧିଷ୍ଠାତ୍ରୀ ଦେବୀ ମାଆ ବିମଳାଙ୍କ ପ୍ରତିନିଧି ମାଆ କାକୁଡି ଖାଇଙ୍କ ନିକଟରେ କାକୁଡି ବଳି ପ୍ରଦାନ କରିଛନ୍ତି ଶ୍ରଦ୍ଧାଳୁ ।

ଦୁର୍ଗା ମାଧବ ଉପାସନାର ଏହି କ୍ଷେତ୍ରରେ ବିଭିନ୍ନ ପୀଠମାନଙ୍କରେ ମାଆଙ୍କୁ ଗୋଷାଣୀ ରୂପେ ପୂଜା କରିବାର ରହିଛି ବହୁ ପ୍ରାଚୀନ ପରମ୍ପରା । ଶ୍ରୀମନ୍ଦିର ଓ ବିଭିନ୍ନ ପୀଠମାନଙ୍କରେ ମହାଷ୍ଟମୀ ପାଳିତ ହେଉଥିବା ବେଳେ ପୂଜା ମଣ୍ଡପ ଗୁଡିକରେ ହେଉଛି ମହାସପ୍ତମୀ ପୂଜା । ସହରରେ ବିଭିନ୍ନ ସ୍ଥାନରେ ଗୋଷାଣୀ ମୂର୍ତ୍ତି ପାରମ୍ପରିକ ଭାବେ ପୂଜା ପାଉଥିବା ବେଳେ କିଛି ମଣ୍ଡପରେ ଦୁର୍ଗାଙ୍କ ଉପାସନା କରାଯାଉଛି ।