୧୭ରେ ଦୀପ ଜାଳି ଘଣ୍ଟ ବଜାଇ ବିଶ୍ବର କୋଣ ଅନୁକୋଣରେ ପାଳିବା ଅନନ୍ୟ ଦିବସ, ରାଜ୍ୟବାସୀ ଓ ଜଗନ୍ନାଥପ୍ରେମୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ବର: ଆନନ୍ଦ, ଭକ୍ତି ଓ ସମର୍ପଣ ସହ ପାଳନ କରିବା ଶ୍ରୀମନ୍ଦିର ପରିକ୍ରମା ଲୋକାର୍ପଣ ଉତ୍ସବ । ବିଶ୍ବର କୋଣଅନୁକୋଣରେ ମହାପ୍ରଭୁଙ୍କ ଅନନ୍ୟ ଦିବସ ପାଳନ କରିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶଙ୍ଖ ଫୁଙ୍କିବା ସହ ଦୀପ ଜାଳି, ଘଣ୍ଟ ବଜାଇ ପୂଜା ଏବଂ ଭଜନ କୀର୍ତ୍ତନ କରି ଭକ୍ତି ପ୍ରକାଶ କରିବା ବୋଲି ରାଜ୍ୟବାସୀ ଓ ଜଗନ୍ନାଥପ୍ରେମୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ମକର ସଂକ୍ରାନ୍ତିର ଅଭିନନ୍ଦନ ଜଣାଇବା ସହ ନବୀନ କହିଛନ୍ତି, ଓଡ଼ିଆ ଜାତିର ଶ୍ରେଷ୍ଠ ପରିଚୟ ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ । ପ୍ରତି ଓଡ଼ିଆ ମହାପ୍ରଭୁଙ୍କୁ ସ୍ମରଣ କରି ଶୁଭକାର୍ଯ୍ୟ କରିଥାନ୍ତି ।  ସାରା ବିଶ୍ବ ତାଙ୍କର ସୃଷ୍ଟି  । ଆମ ସଂସ୍କୃତି, ପରମ୍ପରା ଆଉ ଚେତନାର ଆଧାର ହେଉଛନ୍ତି ମହାପ୍ରଭୁ  । ଜଗନ୍ନାଥ ସଂସ୍କୃତି ହେଉଛି ଓଡ଼ିଶାର ସଂସ୍କୃତି । ଓଡ଼ିଶାର ଇତିହାସ ଜଗନ୍ନାଥ ମନ୍ଦିର ଇତିହାସ ସହ ଯୋଡ଼ି ହୋଇରହିଛି । ମହାପ୍ରଭୁଙ୍କ ଇଚ୍ଛାରେ ଆସନ୍ତା ୧୭ ତାରିଖ ଦିନ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହେବାକୁ ଯାଉଛି  । ମହାପ୍ରଭୁ ସକଳ ଶକ୍ତିର ଆଧାର ।

ତାଙ୍କ ବିନା ଇଚ୍ଛାରେ ପତ୍ରଟିଏ ମଧ୍ୟ ହଲେ ନାହିଁ । ଆମ ମାନଙ୍କର ପରମ ସୌଭାଗ୍ୟ ଯେ ଆମ ଜୀବନକାଳ ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ଉତ୍ସବର ସାକ୍ଷୀ ହୋଇପାରିଛୁ  । ଶହଶହ ବର୍ଷ ଧରି ସାଧୁସନ୍ଥ, ରାଜାମହାରାଜା ମାନେ ଶ୍ରୀମନ୍ଦିରକୁ ସୁରକ୍ଷା ଦେଇଆସୁଥିଲେ । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାଜାମହାରାଜାମାନେ ଶ୍ରୀମନ୍ଦିର ସୁରକ୍ଷା ଉପରେ ବିଶେଷ ଧ୍ୟାନ ରଖିଥିଲେ  । ସାଧୁସନ୍ଥ, ସାଧାରଣ ଭକ୍ତ ଓ ଲୋକମାନେ ଏହି ମାର୍ଗରେ ପରିକ୍ରମା କରୁଥିଲେ । ଶାନ୍ତି ଓ ଦିବ୍ୟ ଆନନ୍ଦର ସହ ଭକ୍ତମାନେ ଯେପରି ଶ୍ରୀମନ୍ଦିର ପରିକ୍ରମା କରିବେ ତାହା ହେଉଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲକ୍ଷ୍ୟ  । ଗଜପତି ମହାରାଜାଙ୍କ ଭାଷାରେ ୭୦୦ ବର୍ଷ ଭିତରେ ଶ୍ରୀମନ୍ଦିର ପାଇଁ ଏପରି କାମ ହୋଇନାହିଁ । ଏହା ହେଉଛି ସାରା ଓଡ଼ିଆ ଜାତି ପାଇଁ ଏକ ଉତ୍ସବର ଦିନ । ସମସ୍ତେ ଏହି ଦିନ ଓ ଉତ୍ସବଟିକୁ ମହାପ୍ରଭୁଙ୍କୁ ସମର୍ପଣ କରି ପାଳନ କରିବାକୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ  । ନିଜ ନିଜ ଭାବରେ ଶଙ୍ଖ ଫୁଙ୍କି, ଦୀପ ଜାଳି, ଘଣ୍ଟ ବଜାଇ ପୂଜା ଏବଂ ଭଜନ କୀର୍ତ୍ତନ କରି ଭକ୍ତି ପ୍ରକାଶ କରିବା । ଘରେ ଘରେ ଭକ୍ତି, ସମର୍ପଣ ଆନନ୍ଦ ଓ ଉତ୍ସାହର ସହ ଏହି ଦିନଟିକୁ ପାଳନ କରିବା  ।

ବିଶ୍ବର କୋଣଅନୁକୋଣରେ ଜଗନ୍ନାଥପ୍ରେମୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ନିଜ ନିଜସ୍ଥାନରେ ଆନନ୍ଦ , ଭକ୍ତି ଓ ସମର୍ପଣ ସହ ପାଳନ କରିବାକୁ ନବୀନ ଅନୁରୋଧ କରିଛନ୍ତି । ବିଶ୍ବନିନ୍ତାଙ୍କ ଏହି ଉତ୍ସବରେ ପରିବାର ସହ ନିଜକୁ ସାମିଲ କରରିବା । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଓଡ଼ିଆ ଜାତିର ଇତିହାସରେ ଏହା ଗୌରବମୟ ମୁହୂର୍ତ୍ତ । ପ୍ରତିଦିନ ଲକ୍ଷଲକ୍ଷ ଭକ୍ତ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିଥାନ୍ତି । ସମସ୍ତେ ଯେପରି ଦିବ୍ୟ ଅନୁଭୂତି ନେଇ ଫେରିବେ ତାହାକୁ ଦୃଷ୍ଟିରେ ରଖି ପରିକ୍ରମା ପ୍ରକଳ୍ପରେ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯାଇଛି । ଏହାସହିତ ମହାପ୍ରଙ୍କୁର ବାହାର ଯାନିଯାତ୍ରା ସୁନ୍ଦର ଭାବେ ହୋଇପାରିବ । ଜନ୍ମ ଜନ୍ମର ପୂଣ୍ୟ ଫଳରେ ଏହି ଐତିହାସିକ ମୁହୂର୍ତ୍ତ ସାମିଲ ହେବାକୁ ମହାପ୍ରଭୁ ଆମକୁ ସୁଯୋଗ ଦେଇଛନ୍ତି, ଆଶୀର୍ବାଦ କରିଛନ୍ତି  ଏହି ଅବସରରେ ପରିକ୍ରମା ପ୍ରକଳ୍ପ ପାଇଁ ତ୍ୟାଗ କରିଥିବା ବ୍ୟକ୍ତିଙ୍କୁ ନବୀନ କୃତଜ୍ଞତା ଜଣାଇଛନ୍ତି । ଜମି ଦାନ କରିଥିବା ବ୍ୟକ୍ତିଙ୍କ ସହିତ ସେବାୟତ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶିଳ୍ପୀ, କାରିଗରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ନବୀନ କହିଛନ୍ତି ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ଏହା ସମ୍ଭବ ହୋଇପାରିଛି । ଏହି ପବିତ୍ର ଦିନରେ ତାଙ୍କ ଆଶୀର୍ବାଦ ପାଇଁ ପ୍ରାର୍ଥନା କରି ତାଙ୍କ ଆଶୀଷ ଲାଭ କରିଛନ୍ତି ମୁଖ୍ୟମନ୍ତ୍ରୀ ।