ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ

ପୁରୀ: ସଜେଇ ହେଲାଣି ଶ୍ରୀକ୍ଷେତ୍ର । ଆସନ୍ତା ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ ପାଇଁ ୧୨ ତାରିଖରୁ ଯଜ୍ଞ ଆରମ୍ଭ ହେବାକୁ ଯାଉଛି । ପୁରୀ ଯାଇ ଏହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ସୁରେଶ ମହାପାତ୍ର । ଏହି ଅବସରରେ ସେବାୟତଙ୍କ କଲ୍ୟାଣ ନିମିତ୍ତ ସେ ଆଲୋଚନା କରିଛନ୍ତି । ଲୋକାର୍ପଣ ଉତ୍ସବରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା କରିଛି ପୋଲିସ ପ୍ରଶାସନ ।

ପାଖେଇ ଆସିଲାଣି ଦିବ୍ୟ ଦିବସ । ଚଳଚଞ୍ଚଳ ଶ୍ରୀକ୍ଷେତ୍ର, ଭକତ ହୃଦୟ ଉତ୍କଣ୍ଠିତ । ଶେଷ ପର୍ଯ୍ୟାୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ । ଆଜି ସିଏମଓ ମୁଖ୍ୟ ପରାମର୍ଶଦାତା ସୁରେଶ ଚନ୍ଦ୍ର ମହାପାତ୍ର ପୁରୀ ଯାଇ ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଶ୍ରୀମାର୍ଗ, ଜଗନ୍ନାଥ ବଲ୍ଲଭ ପାର୍କିଂ, ଶ୍ରୀସେତୁ ସହିତ ଯଜ୍ଞ ସ୍ଥଳର ଟିକିନିଖି ସମୀକ୍ଷା କରି ସନ୍ତୋଷ ବ୍ୟକ୍ତ କରିଛନ୍ତି। ପରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକରେ ସେବାୟତଙ୍କ ସହ ଆଲୋଚନା କରିଥିଲେ। ସେବାୟତଙ୍କ କଲ୍ୟାଣ ପାଇଁ ଛାତ୍ର ବୃତ୍ତି, ବର୍ଷକୁ ଦୁଇଥର କାଉନସେଲର ନିଯୁକ୍ତି, ସ୍ବାସ୍ଥ୍ୟ ବୀମା ଦଶଲକ୍ଷକୁ ବୃଦ୍ଧି ସମ୍ପର୍କରେ ଅନୁଧ୍ୟାନ କରାଯାଇଛି। ସେବାୟତଙ୍କ କଲ୍ୟାଣ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ସୁରେଶ।

ଜଗାଦର୍ଶନ ପାଇଁ ସାରଥି ସାଜିବ ଲକ୍ଷ୍ମୀ ବସ୍ । ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପଞ୍ଚାୟତରୁ ବ୍ଲକକୁ ଗଡ଼ୁଛି ଲକ୍ଷ୍ମୀ ବସ । ପରବର୍ତ୍ତୀ ପର୍ଯ୍ୟାୟରେ ବ୍ଲକରୁ ଜିଲ୍ଲା ମୁଖ୍ୟାଳୟକୁ ଲକ୍ଷ୍ମୀ ଗଡ଼ିବ । ଆଗାମୀଦିନରେ ପ୍ରତି ଜିଲ୍ଲା ମୁଖ୍ୟାଳୟରୁ ପୁରୀ ଓ ଭୁବନେଶ୍ବରକୁ ଗଡି଼ବ ଜଗନ୍ନାଥ ଏକ୍ସପ୍ରେସ । ଭବିଷ୍ୟତରେ ଶ୍ରଦ୍ଧାଳୁ ମାନେ ଉପକୃତ ହେବା ସହ ସହଜରେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

ଏପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବକୁ ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଆଗମନ ହେବ। ଏହାକୁ ନଜରରେ ରଖି ସ୍ବତନ୍ତ୍ର ସୁରକ୍ଷା ଯୋଜନା ପ୍ରସ୍ତୁତ କରିଛି ପୁରୀ ପୋଲିସ। ସହର ଓ ସହର ବାହାରେ ବିଭିନ୍ନ ସ୍ଥାନରେ ସିସିଟିଭି ଲଗାଯାଇଥିବା ବେଳେ ସ୍ପେଶାଲ କଣ୍ଟ୍ରୋଲ ରୁମ ମାଧ୍ୟମରେ ନଜର ରଖାଯିବ। ଭିଡ଼ ନିୟନ୍ତ୍ରଣ ତଥା ଟ୍ରାଫିକ ସମସ୍ୟା ଦୂର ପାଇଁ ବ୍ୟାପକ ପୋଲିସ ମୁତୟନ ସାଙ୍ଗକୁ ସାଧାରଣ ଭକ୍ତ ଓ ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥିଙ୍କ ସୁରକ୍ଷା ଦିଗକୁ ବିଶେଷ ଧ୍ୟାନ ଦିଆଯାଉଛି। ଏବେଠୁ ପୁରୀ ସଜେଇ ହେବା ଆରମ୍ଭ ହୋଇଥିବା ବେଳେ ବଡ଼ଦାଣ୍ଡର ଉଭୟ ପାର୍ଶ୍ବରେ ଥିବା କୋଠାଗୁଡିକୁ ଗୋଟିଏ ରଙ୍ଗ କରାଯାଉଛି। ଝୋଟି ଓ ସଫାସୁତୁରାରା ପରିବେଶ ସଭିଙ୍କର ମନମୋହୁଛି  ।