ପୁରୀ : ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କଲେ ରାଷ୍ଟ୍ରପତି ପ୍ରୌପଦୀ ମୁର୍ମୁ । ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରି ଆତ୍ମବିଭୋର ହେଲେ । ଜଗତର ମଙ୍ଗଳ କାମନା କରିବା ସହ ସାନିଧ୍ୟଲାଭ କଲେ ମହାମହିମ । ବୁଧବାର ସକାଳେ ରାଷ୍ଟ୍ରପତି ଲୋକ ଭବନରୁ କାରଗେଡ ଯୋଗେ ସୁରକ୍ଷା ବଳୟରେ ବଡ଼ ଦାଣ୍ଡ ହୋଇ ପ୍ରଥମେ ଶ୍ୱେତ ଗଙ୍ଗାକୁ ଯାଇଥିବାବେଳେ ସେଠାରେ ପିଣ୍ଡ ଦାନ କରିଥିଲେ । ପରେ ୭ଟା ୪୦ସୁଦ୍ଧା ଶ୍ରୀମନ୍ଦିର ସମ୍ମୁଖରେ ପହଞ୍ଚିଥିବାବେଳେ ଗଜପତି ମହାରାଜା ତାଙ୍କୁ ସ୍ୱାଗତ କରିଥିଲେ l ରାଷ୍ଟ୍ରପତି ସାଧାରଣ ଲୋକଙ୍କ ଭଳି ହାତ ଗୋଡ଼ ଧୋଇ ଅରୁଣ ସ୍ତମ୍ବ ସ୍ପର୍ଶ କରି ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ l ଅବକାଶ ନୀତି ପରେ ମହାପ୍ରଭୁଙ୍କୁ ଗର୍ଭଗୃହରେ ଦର୍ଶନ କରି ଭାବପ୍ରବଣ ହୋଇପଡିଥିଲେ ମହାମହିମ । ମହାଲକ୍ଷ୍ମୀଙ୍କ ସହ ବିମଳାଙ୍କ ଦର୍ଶନ କରିଥିବାବେଳେ ଶ୍ରୀମନ୍ଦିର ଭିତରେ ୪୫ ମିନିଟ୍ରୁ ଅଧିକ ସମୟ ଅତିବାହିତ କରିଥିଲେ l ଆଜି ମହାମହିମଙ୍କ ଉଦ୍ଦେଶ୍ୟରେ ବାନା ଲଗାଯାଇଥିବାବେଳେ ପ୍ରତ୍ୟାବର୍ତ୍ତନ ସମୟରେ ସେବାୟତ ମାନେ ରାଷ୍ଟ୍ରପତୀଙ୍କୁ ମହାପ୍ରଭୁଙ୍କ କରପଲ୍ଳଭ ଉପହାର କରିଥିଲେ l ସେହିପରି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ସମେତ ସୁନା ବେଶର ପଟ୍ଟଚିତ୍ର ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା l
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପୁରୀକୁ ଏହା ଚତୁର୍ଥ ଗସ୍ତ l ଶ୍ରୀମନ୍ଦିରରୁ ଦର୍ଶନ ସାରି ରାଷ୍ଟ୍ରପତି ବେସ କିଛି ବାଟ ବଡ଼ଦାଣ୍ଡରେ ଚାଲିଚାଲି ଫେରିବା ସମୟରେ ସାଧାରଣ ଲୋକମାନଙ୍କ ଅଭିବାଦନ ଗ୍ରହଣ କରିଥିଲେ l ପରେ ପୁରୀ ଲୋକ ଭବନକୁ ଯାଇ କିଛି ସମୟ ବିରତି ପରେ ପୁରୀ ହେଲିପ୍ୟାଡ଼କୁ ସୁରକ୍ଷା ମଧ୍ୟରେ ଆସି ପହଞ୍ଚିଥିଲେ l ପୁରୀ ହେଲିପ୍ୟାଡ଼ ଠାରେ ରାଷ୍ଟ୍ରପତିଙ୍କୁ ବିଦାୟ ପ୍ରଦାନ କରାଯାଇଥିବାବେଳେ ସେଠାରୁ ସିଧାସଳଖ ରାଇରଙ୍ଗପୁର ଯାଇଥିଲେ l ପୁରୀ ବାସୀଙ୍କ ସହଯୋଗରେ ରାଷ୍ଟ୍ରପତିଙ୍କ ଗସ୍ତ ଶୃଙ୍ଖଳିତ ଭାବେ ହୋଇଥିବା ନେଇ ପ୍ରଶାସନ ପକ୍ଷରୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା l ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଆଜି ଶ୍ରୀମନ୍ଦିର ଭିତରକୁ ଜଣେ କ୍ୟାମେରା ଧରି ପଶିଯାଇଥିବା ପରିଲକ୍ଷିତ ହୋଇଥିବାବେଳେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି l
ପୁରୀ ଶ୍ୱେତଗଙ୍ଗାରେ ପିଣ୍ଡ ଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମହାପ୍ରଭୁଙ୍କ ଦର୍ଶନ କରି ହେଲେ ଆତ୍ମବିଭୋର

