ପୁରୀ : ମହାପ୍ରଭୁ ଜଗନ୍ନାଥଙ୍କ ଆଶିଷ ପାଇବା ପାଇଁ ପୁରୀକୁ ଦେଶ ବିଦେଶରୁ ପ୍ରତିଦିନ ଲକ୍ଷାଧିକ ଭକ୍ତଙ୍କ ଆଗମନ ହୋଇଥାଏ । ଶ୍ରୀମନ୍ଦିର ସହ ସମୁଦ୍ର କୂଳ, ସ୍ବର୍ଗଦ୍ବାର ମଠ ଓ ମନ୍ଦିର ମାନଙ୍କରେ ଲୋକ ଭିଡ ଜମିଥାଏ । ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ପାଇଁ ପୂର୍ବତନ ବିଜେଡି ସରକାର ବହୁ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନେଇଥିଲେ । ପୁରୀରେ ସ୍ବର୍ଗଦ୍ବାରର ବିକାଶ ସହ ଐତିହାସିକ ଶ୍ରୀମନ୍ଦିର କରିଡର ନିର୍ମାଣ କରାଯାଇଥିଲା । ଏହାସହ ଜେଲ ରୋଡ, ସମୁଦ୍ର କୂଳ, ଜଗନ୍ନାଥ ବଲ୍ଲଭ ଠାରେ ଯାତ୍ରୀମାନଙ୍କ ଗାଡି ପାର୍କିଙ୍ଗ ନେଇ ମଲ୍ଟି ଷ୍ଟୋର ପାର୍କିଂ ମଧ୍ୟ କରାଯାଇଛି । ସେହିପରି ଅନ୍ତର୍ଜାତୀୟ ବିମାନ ବନ୍ଦର, ଅଠର ନଳା ଠାରେ ମୂଷା ନଈ ପ୍ରକଳ୍ପର ଉନ୍ନତିକରଣ ସହ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଶୁଭାରମ୍ଭ ହୋଇଥିଲା । ହେଲେ ଏବେ ଉନ୍ନତିମୂଳକ କାର୍ଯ୍ୟ ଅଧପନ୍ତରିଆ ହୋଇ ପଡିରହିଛି । ଯଥାଶୀଘ୍ର ସରକାର ପଡିରହିଥିବା କାର୍ଯ୍ୟକୁ ସାରିବାକୁ ବିଭିନ୍ନ ମହଲରୁ ଦାବି ହୋଇଛି । ଶ୍ରୀକ୍ଷେତ୍ର ଏକ ପ୍ରମୁଖ ସ୍ଥାନ ହୋଇଥିବା ବେଳେ ଏହା ପର୍ଯ୍ୟଟନସ୍ଥଳୀ ମଧ୍ୟ । ଶ୍ରୀଜଗନ୍ନାଥ ମନ୍ଦିର ଓ ବିସ୍ତୃତ ସମୁଦ୍ର ବେଳାଭୂମି ସମେତ କୋଣାର୍କ ଓ ସାତପଡ଼ା ପୁରୀକୁ ସମୃଦ୍ଧ କରିଛି । ବିଶ୍ବାସ ଥିଲା ପୁରୀ ଜିଲ୍ଲାରେ ସମସ୍ତ ଉନ୍ନତିମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଶ୍ରଦ୍ଧାଳୁ ମାନେ ବହୁ ଉପକୃତ ହୋଇଥାନ୍ତେ । ଏହାସହ ସ୍ଥାନୀୟ ବାସିନ୍ଦାଙ୍କ ଉନ୍ନତି ହୋଇଥାନ୍ତା । ହେଲେ ଏବେ ବିକାଶମୂଳ କାମ ଠପ ହୋଇ ପଡିରହିଛି । ତୁରନ୍ତ ସେ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଲୋକମାନେ ଦାବି କରିଛନ୍ତି । ସେପଟେ ରାଜ୍ୟ ସରକାର ପୁରୀର ବିକାଶ ନେଇ ଅନେକ କାର୍ଯ୍ୟ କରୁଛନ୍ତି । ଉନ୍ନତିମୂଳକ ପ୍ରକଳ୍ପ କରିବା ପାଇଁ ଓବିସିସି ସହ ଆଲୋଚନା ହୋଇଛି । ଏନେଇ ପ୍ଲାନ କରାଯାଇଥିବା ବେଳେ ଏହାର କାର୍ଯ୍ୟକାରିତା ଉପରେ ଧ୍ୟାନ ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି । ପୁରୀକୁ ବିଶ୍ୱ ଦରବାରରେ ଐତିହ୍ୟ ନଗରୀ ରୂପେ ଗଢି ତୋଳିବା ପାଇଁ ଅଧପନ୍ତରିଆ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବା ଅପରିହାର୍ଯ୍ୟ ହୋଇ ପଡିଛି । ତେବେ ଦେଖାଯାଉ ସରକାର ପୁରୀର ବିକାଶ ପାଇଁ କେଉଁ କେଉଁ କାର୍ଯ୍ୟ ହାତକୁ ନେଉଛନ୍ତି ।

