ପହଲଗାଓଁ ଆକ୍ରମଣ ଘଟଣାରେ ଭାରତରେ କୂଟନୈତିକ ବିଜୟ

ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆକ୍ରମଣ ଘଟଣା ନେଇ ଭାରତକୁ ବଡ଼ ସଫଳତା । ଭାରତ, ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆକୁ ନେଇ ଗଠିତ କ୍ବାଡ ବୈଠକରେ ଭାରତର କୂଟନୈତିକ ବିଜୟ ଘଟିଛି । ଏହି ବୈଠକରେ ଏପ୍ରିଲ ୨୨ ପହଲଗାଓଁ ହମଲା ଘଟଣାକୁ ନିନ୍ଦା କରାଯାଇଛି । ଏହି ହମଲାରେ ଯାଇଥିଲା ୨୬ ଜଣଙ୍କ ଜୀବନ । ଏହି ଘଟଣାରେ ଜଡ଼ିତ ଆତଙ୍କୀ, ଷଡ଼ଯନ୍ତ୍ରକାରୀ ଓ ଅର୍ଥ ବ୍ୟବସ୍ଥା କରିଥିବା ବ୍ୟକ୍ତି ଓ ସଂଗଠନଗୁଡିକ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଲାଗି ଆହ୍ବାନ ଦିଆଯାଇଛି । ଓ୍ବାଶିଂଟନରେ ଆୟୋଜିତ କ୍ବାଡ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ପହଲଗାଓଁ ହମଲା ନେଇ ଏକ ମିଳିତ ବିବୃତି ଜାରି କରାଯାଇଛି । ଏହା ସହ ସମସ୍ତ ପ୍ରକାର ଆତଙ୍କବାଦ, ହିଂସାମୂଳକ କାର୍ଯ୍ୟକଳାପ ତଥା ସୀମାପାର ଆତଙ୍କବାଦକୁ ଭର୍ତ୍ସନା କରାଯାଇଛି । ଏହା ସହ ଅନ୍ତର୍ଜାତୀୟ ଆଇନ ଓ ଅନ୍ୟାନ୍ୟ ନିୟମ ଅନୁସାରେ ସେମାନଙ୍କ ବିରୋଧରେ କଠୋର ପଦକ୍ଷେପ ନେବା ଲାଗି ଜାତିସଂଘ ସଦସ୍ୟ ରାଷ୍ଟ୍ରଗୁଡିକୁ ଆହ୍ବାନ ଦିଆଯାଇଛି । ଏହି ବୈଠକରେ ପହଲଗାଓଁ ହମଲାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜ୍ଞାପନ କରାଯିବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି । ବୈଠକରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ, ଜାପାନ ବୈଦେଶିକ ମନ୍ତ୍ରୀ ତାକେଶି ଇଓ୍ବାୟା, ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ ଯୋଗଦେଇଥିଲେ ।