ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ପ୍ରସଙ୍ଗ, ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗ । ଦେଶର ବିଭିନ୍ନ ଭାଗରେ ଚାଲିଛି ପ୍ରତିବାଦ ଆନ୍ଦୋଳନ । ଗଣତନ୍ତ୍ରର ସୁରକ୍ଷା ଲାଗି କଂଗ୍ରେସ ପକ୍ଷରୁ ଜାରି ରହିଛି ବିକ୍ଷୋଭ । ରାହୁଲଙ୍କ ସଂସଦୀୟ କ୍ଷେତ୍ର ୱାୟାନାଡ୍ ସମେତ ଭୋପାଳ ଓ ଅନ୍ୟାନ୍ୟ ସ୍ଥାନରେ କର୍ମୀ ଜୋରଦାର ବିକ୍ଷୋଭ କରିଛନ୍ତି । ଦିଲ୍ଲୀରେ ଶହ ଶହ କର୍ମୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ଓ୍ୱାୟାନାଡରେ କର୍ମୀମାନେ ବିକ୍ଷୋଭ କରିବା ସହ ରେଳରୋକ କରିଛନ୍ତି । ତେଣେ ସଦସ୍ୟତା ରଦ୍ଦ ନିଷ୍ପତ୍ତି ପ୍ରତିବାଦରେ ସୁପ୍ରିମକୋର୍ଟରେ ଦାୟର ହେଲା ଜନସ୍ବାର୍ଥ ମାମଲା ।

୧୯୫୧ ଜନପ୍ରତିନିଧି ଆଇନ ଅନୁସାରେ ଜଣେ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା ପ୍ରସଙ୍ଗର ବିଭିନ୍ନ ଦିଗ ତର୍ଜମା ଲାଗି ପିଟିସନରେ ଦର୍ଶାଯାଇଛି । କେରଳର ସାମାଜିକ କର୍ମୀ ଆଭା ମୁରଲୀଧରନଙ୍କ ପକ୍ଷରୁ ଏହି ପିଟିସନ ଦାୟର ହୋଇଛି । ଏହି ଧରଣର ପଦକ୍ଷେପ ଦ୍ବାରା ଦେଶରେ ନିର୍ବାଚନ ବ୍ୟବସ୍ଥା ବିଗିଡ଼ିବା ସହ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବିପଦ ବୋଲି ଦର୍ଶାଯାଇଛି । ସମ୍ବିଧାନର ଧାରା ୧୯(୧)ର ’କ’ ଧାରା ଅନୁସାରେ ଜଣେ ସାଂସଦ ଯେପରି ନିଜର ଅଧିକାର ସାବ୍ୟସ୍ତ କରିପାରିବେ ସେଥିଲାଗି ବ୍ୟବସ୍ଥା ରହିଥିବାବେଳେ ସଭ୍ୟପଦ ରଦ୍ଦ ସଂକ୍ରାନ୍ତ ନିଷ୍ପତ୍ତି ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ପିଟିସନରେ ଦର୍ଶାଯାଇଛି ।