‘ସତ କହିବାରୁ ରାହୁଲଙ୍କୁ ମିଳିଲା ଦଣ୍ଡ’, ଜାଣନ୍ତୁ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ନେଇ କିଏ କଣ କହିଛନ୍ତି ?

ନୂଆଦିଲ୍ଲୀ: ମାନହାନି ମାମଲାରେ ଦୁଇବର୍ଷର ଦଣ୍ଡ ଶୁଣାଣି ପରେ ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହୋଇଯାଇଛି । ମୋଦି ସରନେମ ମାମଲାରେ ଗତକାଲି ସୁରଟ କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲଦଣ୍ଡ ଶୁଣାଇଥିଲେ । ଅବଶ୍ୟ ଏହାର କିଛି ସମୟ ପରେ ତାଙ୍କୁ ଜାମିନ ମିଳିଯାଇଥିଲା । ହେଲେ ଏହାର ଗୋଟେଦିନ ପରେ ଅର୍ଥାତ ଆଜି ତାଙ୍କର ସଂସଦ ସଦସ୍ୟତା ରଦ୍ଦ କରିଦିଆଯାଇଛି । ଲୋକସଭା ସଚିବାଳୟ ଏନେଇ ଅଧିସୂଚନା ଜାରି କରିଛି ।

ଏବେ ଯଦି ରାହୁଲ ଗାନ୍ଧିଙ୍କୁ ଉପର କୋର୍ଟରୁ ଆଶ୍ୱସ୍ତି ନମିଳେ ତେବେ ଜନପ୍ରତିନିଧି ଆଇନ ମୁତାବିକ ରାହୁଲ ଗାନ୍ଧିଙ୍କ ଉପରେ ୬ ବର୍ଷ ପାଇଁ ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ରୋକ୍ ଲଗାଇ ଦିଆଯିବ । ଏଥିସହିତ ରାହୁଲଙ୍କୁ ଏକ ମାସ ମଧ୍ୟରେ ସରକାରୀ କ୍ୱାଟର ମଧ୍ୟ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି ନିଷ୍ପତ୍ତିକୁ ନେଇ ରାଜନୈତିକ ମାହୋଲ ସରଗରମ ରହିଛି । ବିଭିନ୍ନ ନେତା ଏହା ଉପରେ ପ୍ରତିକ୍ରିୟା ଦେଉଛନ୍ତି । ତମାମ ବିରୋଧୀ ଦଳ ନେତାମାନେ ମୋଦି ସରକାରଙ୍କ ଏପରି କାର୍ଯ୍ୟକୁ ଭର୍ତ୍ସନା କରିଛନ୍ତି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖରଗେ ରାହୁଲ ଗାନ୍ଧିଙ୍କ ସଂସଦ ସଦସ୍ୟତା ରଦ୍ଦ ହେବା ଉପରେ କହିଛନ୍ତି, ରାହୁଲଙ୍କୁ ସତ କହିବାର ଦଣ୍ଡ ମିଳିଛି । ରାହୁଲ ଦେଶ ସମ୍ମୁଖରେ ସତକୁ ରଖୁଥିଲେ । ସରକାର ଯାହାଙ୍କୁ ଶୁଣିବାକୁ ଚାହୁଁନାହାନ୍ତି ତାଙ୍କୁ ସଂସଦରୁ ବାହାର କରୁଛନ୍ତି । କିନ୍ତୁ ଆମେ ଗୃହ ଭିତରେ ବି କହିବୁ ଓ ସଂସଦ ବାହାରେ ମଧ୍ୟ କହିବୁ । କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ଟ୍ୱିଟ କରି ଲେଖିଛନ୍ତି, ଯେମିତି ବିଜେପି, ସଂଘ ଏବଂ ମୋଦି ଜୀଙ୍କଠାରୁ ଆଶା ଥିଲା, ମୋଦୀ ଆଦାନୀ ସମ୍ବନ୍ଧ ଉପରେ ରାହୁଲଙ୍କୁ ସଂସଦରେ କହିବାକୁ ଦେବେନି ତାହା ହିଁ ହୋଇଛି । ରାହୁଲଙ୍କ ଚାରି ବର୍ଷ ପୂରୁଣା ବୟାନକୁ ନେଇ ତାଙ୍କ ସଂସଦ ସଦସ୍ୟତା ସମାପ୍ତ କରିଦିଆଯାଇଛି । ଲୋକତନ୍ତ୍ରର ମନ୍ଦିରରେ ଯଦି କହିବାକୁ ଦେବନି ତେବେ ଆମେ ଜନତାଙ୍କ ଅଦାଲତକୁ ଯିବୁ ।

ସେହିପରି ବିଜେପି ନେତା ଭୁପେନ୍ଦ୍ର ଯାଦବ ରାହୁଲ ଗାନ୍ଧିଙ୍କ ସଦସ୍ୟତା ରଦ୍ଦକୁ ସମର୍ଥନ କରିଛନ୍ତି ଏବଂ କହିଛନ୍ତି ରାହୁଲ ଗାନ୍ଧି ରାଜନୈତିକ ବୟାନବାଜି କରୁନଥିଲେ ବରଂ ପଛୁଆ ବର୍ଗଙ୍କ ଅପମାନ କରୁଥିଲେ । କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ କରି ଲେଖିଛନ୍ତି, ଆମର ଏହି ଲଢ଼େଇ ଆଇନ ଏବଂ ରାଜନୈତିକ ଦିଗରୁ ଜାରି ରହିବ । ଆମେ ଏହାକୁ ନେଇ ଡରିଯିବୁନି କି ଚୁପ ରହିବୁନି । ଜୟରାମ ରମେଶ ଲେଖିଛନ୍ତି ଆଦାନୀ ମାମଲାରେ ଜେପିସିର ଗଠନ କରିବା ବଦଳରେ ରାହୁଲ ଗାନ୍ଧିଙ୍କ ପକ୍ଷକୁ ନିରସ୍ତ କରିଦିଆଯାଇଛି ।

କଂଗ୍ରେସ ନେତା ଶଶି ଥରୁର କହିଛନ୍ତି, ଯେଉଁ ଭଳି ଭାବେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ଏହାକୁ ନେଇ ମୁଁ ଆଶ୍ଚମ୍ବିତ । କୋର୍ଟଙ୍କ ନିଷ୍ପତ୍ତିର ୨୪ ଘଣ୍ଟା ଭିତରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି, ଯେତବେଳେ କି ଏହି ମାମଲାରେ ଆବେଦନ ବିଚାରଧୀନ ରହିଛି । ଏହା ଲୋକତନ୍ତ୍ର ପାଇଁ ଶୁଭ ସଙ୍କେତ ନୁହେଁ । ସେହିପରି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଟ୍ୱିଟ କରି ଲେଖିଛନ୍ତି ଏହା ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଭାରତ । ବିରୋଧୀ ନେତାମାନେ ବିଜେପିର ମୁଖ୍ୟ ଟାର୍ଗେଟ । ଯେତବେଳେ କି ଅପରାଧିକ ମାମଲାରେ ଲିପ୍ତ ବିଜେପି ନେତାଙ୍କୁ କ୍ୟାବିନେଟରେ ସ୍ଥାନ ମିଳୁଛି ସେତବେଳେ ବିରୋଧୀ ନେତା ନିଜର ବୟାନ ପାଇଁ ଅଯୋଗ୍ୟ ହୋଇଯାଉଛନ୍ତି ।