କହୁ କହୁ କହିଦେଲେ ରାହୁଲ ଗାନ୍ଧୀ, ଚା‘ ଗରମ ପାଇଁ ଷ୍ଟୋଭ୍‌ରେ କୋଇଲା ପକାଇବା ଦରକାର..

ଆସାମ: କହୁ କହୁ କହିଦେଲେ ରାହୁଲ । ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଳୁରୁ ସୁନା ବାହାରିବା କଥା କହିବା ପରେ ଏବେ ଚା’ ଗରମ ପାଇଁ ଷ୍ଟୋଭ୍‌ରେ କୋଇଲା ପକାଇବା ଦରକାର ବୋଲି କହିଛନ୍ତି । ଯାହାର ଏକ ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ଉପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ରାହୁଲ ଏକ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ କହୁଛନ୍ତି, ସକାଳେ ଉଠି, ଚା ଗରମ କରିବା ପାଇଁ ଷ୍ଟୋଭ୍‌ରେ କୋଇଲା ରଖି ଜଳା ଯାଏ । ଏହି କିଛି ସେକେଣ୍ଡର ଭିଡିଓକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।  ଭିଡିଓକୁ ସମାଲୋଚନା କରି ହିମନ୍ତ ତାଙ୍କ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଛନ୍ତି, ଷ୍ଟୋଭରେ କୋଇଲା? ଆପଣ ଷ୍ଟୋଭ୍‌ରେ କୋଇଲା ରଖି ଆମକୁ ଦ୍ୱନ୍ଦ୍ୱରେ ପକାଇଛନ୍ତି, ଆଳୁରୁ ସୁନା ତିଆରି କରିବାର କଳ୍ପନା ଆମେ ଏଥିରୁ ପାଇବୁ ବୋଧେ। ରାହୁଲ ବର୍ତ୍ତମାନ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରାରେ ଆସାମରେ ଅଛନ୍ତି ।

ରାହୁଲ ଅଗ୍ନିପଥ ଯୋଜନାକୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଥିଲେ। ବୁଧବାର ଦିନ ସେ ସାମରିକ ନିଯୁକ୍ତିର ଏହି ଯୋଜନା ସମ୍ପର୍କରେ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, ପୂର୍ବ ପ୍ରକ୍ରିୟା ଅନୁଯାୟୀ ନିଯୁକ୍ତି ଦିଆଯାଇଥିବା ୧.୫ ଲକ୍ଷ ଯୁବବର୍ଗ ବର୍ତ୍ତମାନ ବେକାର ଏବଂ ନିରାଶ ହୋଇଛନ୍ତି । ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ କିଛି ଯୁବକଙ୍କ ସହ କଥାବାର୍ତ୍ତା କରି ୟୁଟ୍ୟୁବରେ ସେ ଭିଡିଓ ପୋଷ୍ଟ କରିଥିଲେ। ଏଥିରେ ସେ ସେହି ଯୁବକମାନଙ୍କ ସହ କଥାବାର୍ତ୍ତା କରୁଛନ୍ତି ଯେଉଁମାନେ ପୂର୍ବ ନିଯୁକ୍ତି ପ୍ରକ୍ରିୟାରେ ଅନୁମୋଦନ ପାଇବା ପରେ ମଧ୍ୟ ନିଯୁକ୍ତ ହୋଇ ନ ଥିଲେ।

କଂଗ୍ରେସର ଭାରତ ଯୋଡୋ ନ୍ୟାୟ ଯାତ୍ରା ଜାନୁଆରୀ ୨୫ରେ କୁଚ ବିହାର ଜିଲ୍ଲାର ବକ୍ସିରହାଟ ଦେଇ ପଶ୍ଚିମବଙ୍ଗରେ ପ୍ରବେଶ କରିବ । ରାହୁଲ ଗାନ୍ଧୀ ସହରର ମା’ ଭବାନୀ ଚୌକ ଠାରୁ ପଦଯାତ୍ରାର ନେତୃତ୍ୱ ନେବେ । ଜାନୁଆରୀ ୨୯ରେ ଏହି ଯାତ୍ରା ବିହାରରେ ପ୍ରବେଶ କରିବ  । ତେବେ ଜାନୁୟାରୀ ୩୧ରେ ଯାତ୍ରା ପୁନର୍ବାର ମାଲଦା ଠାରୁ ପଶ୍ଚିମବଙ୍ଗକୁ ପ୍ରବେଶ କରିବ ।  ଏହି ଯାତ୍ରା ଜଲପାଇଗୁଡି, ଆଲିପୁରଦ୍ବାର, ଉତ୍ତର ଦିନାଜପୁର, ଦାର୍ଜିଲିଂ, ମାଲଦା ଏବଂ ମୁର୍ସିଦାବାଦ ଜିଲ୍ଲା ଦେଇ ଯିବ । ଏହି ଯାତ୍ରା ପଶ୍ଚିମବଙ୍ଗରେ ମୋଟ ପାଞ୍ଚ ଦିନ ଚାଲିବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ୬ଟି ଜିଲ୍ଲା ଏବଂ ୬ଟି ଲୋକସଭା ଆସନ ଗସ୍ତ କରିବେ।