ମୁମ୍ବାଇରେ ସନ୍ଦିଗ୍ଧ ଦରଘାକୁ ନେଇ ବିବାଦ, ନଭାଙ୍ଗିଲେ ବୃହତ୍ ଗଣପତି ମନ୍ଦିର ନିର୍ମାଣ କରିବାକୁ ଧମକ

ମୁମ୍ବାଇ: ମୁମ୍ବାଇର ମାହିମରେ ଏକ ନିର୍ମାଣାଧୀନ ଦରଘାକୁ ନେଇ ବିବାଦ । ଆରବ ସାଗର ଉପକୂଳରେ ଏକ ଦରଘା ନିର୍ମାଣ ହେଉଥିବା ନେଇ ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେଙ୍କ ଅଭିଯୋଗ ପରେ ସେହି ଅଞ୍ଚଳରେ ପୋଲିସ ମୁତୟନ ହୋଇଛି । ସେଠାରେ ବେଆଇନ ଭାବେ ଦରଘା ନିର୍ମାଣ ହୋଇଛି ବୋଲି ଅଭିଯୋଗ ହେବା ପରେ ତାହାର ଯାଞ୍ଚ ଲାଗି ଏକ ୬ ଜଣିଆ କମିଟି ଗଠିତ ହୋଇଛି । ସେହି ଦରଘାକୁ ଭାଙ୍ଗିବା ଲାଗି ପ୍ରଶାସନିକ ଉଦ୍ୟମ ଆରମ୍ଭ ହୋଇଛି । ରାଜ ଠାକରେ କହିଛନ୍ତି ଗତ କିଛି ବର୍ଷ ତଳେ ସେଠାରେ କୌଣସି ଦରଘା ନଥିଲା । ଯଦି ସେହି ବେଆଇନ ନିର୍ମାଣକୁ ଭଙ୍ଗା ନଯାଏ ତେବେ ସେଠାରେ ସେମାନେ ଏକ ବୃହତ ଗଣପତି ମନ୍ଦିର ନିର୍ମାଣ କରିବେ । ଏହି ନିର୍ମାଣ କାର୍ଯ୍ୟକୁ ପୋଲିସ ଓ ପ୍ରଶାସନ କିପରି ଜାଣିପାରିଲେ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି ।

ମାହିମ ଉପକୂଳରେ ଏକ କ୍ଷୁଦ୍ର ଟାପୁ ସଦୃଶ ସ୍ଥାନରେ କିଛି ପୋଲ୍ ନିର୍ମାଣ କରାଯାଇଛି ଯାହାକି ଏକ ଦରଘା ବୋଲି ଦାବି କରିଛନ୍ତି ରାଜ ଠାକରେ । ଏହା ସହ ମାହିମରେ ମକଦ୍ଦମ ବାବାଙ୍କ ଦରଘା ନିକଟରେ ତିଆରି ହେଉଥିବା ସନ୍ଦିଗ୍ଧ ଦରଘାକୁ ସେ ବିରୋଧ କରିଛନ୍ତି । ଏହା ସହ ଗତବର୍ଷ ମସଜିଦରୁ ଲାଉଡସ୍ପିକର ହଟାଇବା ଲାଗି ହୋଇଥିବା ଆନ୍ଦୋଳନରେ ଏମଏନଏସ କର୍ମୀଙ୍କ ବିରୋଧରେ ହୋଇଥିବା ୧୭ ହଜାର ମାମଲା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି ଠାକରେ ।