ରଜ ବଜାରରେ ସେଲିବ୍ରେଟି କ୍ରେଜ୍, ସିନେମା ଓ ସେଲିବ୍ରେଟିଙ୍କୁ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼

ଭୁବନେଶ୍ୱର : ସିନେ କଳାକାରଙ୍କୁ ଦେଖିବା ପାଇଁ ଖଚାଖଚ ଭିଡ । ଫିଲ୍ମ ‘ବୋଉ ବୁଟୁ ଭୂତ’ର ପ୍ରମୋସନ ପାଇଁ ଉତ୍କଳ କନିକା ଗ୍ୟାଲେରିଆ ମଲରେ ପହଞ୍ଚି ଥିଲେ ବାବୁଶାନ ମହାନ୍ତି । ତାଙ୍କର ଟିକିଏ ଝଲକ ପାଇଁ ମଲର ତଳ ମହଲାରୁ ଆରମ୍ଭ କରି ତୃତୀୟ ମହଲା ଯାଏ ଜମିଥିଲା ଭିଡ଼ । ନିର୍ଦ୍ଦେଶକ ଜଗଦୀଶ ମିଶ୍ର, ପ୍ରଯୋଜିକା ତୃପ୍ତି ଶତପଥୀ, ସଙ୍ଗୀତ ନିର୍ଦ୍ଦେଶକ ଗୌରବ ଆନନ୍ଦ, ଅଭିନେତ୍ରୀ ଅନିଶା, କୁକିଜ, ଅଭିନେତା କେକେ, ଉଦିତ ଗୁରୁ, କାହାଣୀକାର ଇମ୍ରାନ, କାର୍ଯ୍ୟକାରୀ ପ୍ରଯୋଜକ ସମ୍ବିତ ଜେନା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଉପଲକ୍ଷେ ଏକ ହଜାରରୁ ଅଧିକ କଷ୍ଟମ ପ୍ରିଣ୍ଟ ବେଲୁନ ଉପରୁ ତଳକୁ ଖସାଯାଇଥିଲା । ରଜ ଅବସରରେ ମୁକ୍ତିଲାଭ କରିଛି ବାବୁଶାନଙ୍କ ଅଭିନୀତ ‘ବୋଉ ବୁଟୁ ଭୁତ’ । ଚତୁର୍ଥ ଦିନ ସୁଦ୍ଧା ଫିଲ୍ମ ୨ କୋଟିରୁ ଉର୍ଧ୍ଵ ବ୍ୟବସାୟ କଲାଣି । ଓଡିଶା ଓ ଓଡିଶା ବାହାରେ ୨୩୦ ରୁ ଅଧିକ ଶୋ’ ହାଉସଫୁଲ ଚାଲିଛି । ରଜ ଅବସରରେ ଷ୍ଟାରଙ୍କୁ ପାଖରେ ପାଇଁ ବେଶ ଖୁସି ପ୍ରକଟ କରିଛନ୍ତି ଦର୍ଶକ ।

ଅନ୍ୟପଟେ ନୟାପଲ୍ଲୀ ରାବଣ ପୋଡ଼ି ପଡ଼ିଆରେ ବଡ଼ ଧୁମ୍ ଧାମ ରେ ଚାଲିଛି ରଜ ଉତ୍ସବ । ସେଠି ମଧ୍ୟ ସେଲିବ୍ରିଟିଙ୍କ ଝଲକ ଦେଖିବାକୁ ମିଳିଛି । ଅନନ୍ତା ଫିଲ୍ମର ପ୍ରମୋସନ ପାଇଁ ପଡ଼ିଆରେ ପହଞ୍ଚିଥିଲେ ଅଭିନେତା ସବ୍ୟସାଚୀ ମିଶ୍ର । ଉପସ୍ଥିତ ହଜାର ହଜାର ଦର୍ଶକଙ୍କୁ ଉତ୍ସାହିତ କରିବା ସହ ଫିଲ୍ମର କିଛି ଦୃଶ୍ୟ ଦେଖାଇଥିଲେ । ୩ ଦିନ ଧରି ରଜ ଦୋଳି ମୀନା ବଜାର ସିନେମା ଓ ସିନେ ତାରକାଙ୍କ ସହ ଫଟୋ ନେଇ ବେଶ ଉତ୍ସାହିତ ରାଜଧାନୀର କୁମାରୀ ।