spot_img

Latest Posts

ମହିଳା ବିଡିଓଙ୍କୁ ଆକ୍ରମଣ ଘଟଣା : ଆକ୍ରମଣକାରୀଙ୍କୁ କାହିଁକି ବାନ୍ଧୁନି ପୋଲିସ?

ରାଜନଗର : କାହା ଚାପରେ ପୋଲିସ? ଆକ୍ରମଣ ଉଦ୍ଯମ ଘଟଣାରେ ସିସିଟିଭି ଫୁ଼ଟେଜ ରହିଛି। ଏତଲା ଗ୍ରହଣ କରି କାହିଁକି ଆକ୍ରମଣକାରୀଙ୍କୁ ବାନ୍ଧୁନି ପୋଲିସ? କାର୍ଯ୍ଯାନୁଷ୍ଠାନ ଦାବିରେ ଠପ ହେଲାଣି ରାଜନଗର ବିଡିଓ କାର୍ଯ୍ଯାଳୟ। ଅହୋରାତ୍ର ଧାରଣାରେ ବସିଲେଣି ସରପଞ୍ଜ ସଂଘ। ଛୁଟିରେ ମହିଳା ବିଡିଓ ତିଳୋତ୍ତମା ପୃଷ୍ଟି। ଗତ ୨ ତାରିଖ ଶୁକ୍ରବାର ଦ୍ବିପହରରେ ବିଡିଓଙ୍କ କାର୍ଯ୍ଯାଳୟରେ ପଶି କାର୍ଯ୍ଯରତ ମହିଳା ବିଡିଓ ତିଳୋତ୍ତମା ପୃଷ୍ଟିଙ୍କୁ କମ୍ପ୍ଯୁଟର ଉଚ୍ଚାଇ ଆକ୍ରମଣ କରିବାକୁ ଉଦ୍ଯମ କଲେ ବିଜେପିର ବିଧାନସଭା ପ୍ରାର୍ଥୀ ଲଳିତ କୁମାର ବେହେରା। ନିଜ ସମର୍ଥକଙ୍କ ସହ ବିଡିଓଙ୍କୁ ଖୁଲମଖୁଲା ସଂଘବଦ୍ଧ ଭାବେ ଗାଳିଗୁଲଜ କରି ଆକ୍ରମଣ କରିବାକୁ ଉଦ୍ଯମ କଲେ। ହେଲେ ଆଇନଅନୁଯାୟୀ ଉଦ୍ଧତ ଶାସକ ଦଳର ନେତାଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ନେବାକୁ ପ୍ରଶାସନର ଜୁ ପାଉନି। ଯାହାକୁ ନେଇ ତାଜୁବ ରାଜ୍ଯବାସୀ ଓ ସ୍ଥାନୀୟ ଜନ ପ୍ରତିନିଧି। ଘଟଣା ଘଟିବା ପରଦିନ ପଞ୍ଚାୟତ ସମିତି ଅଧ୍ଯକ୍ଷା ଥାନାରେ ଏତଲା ଦେଲେ। ଅଥଚ ପୋଲିସ ମାମଲା ଋଜୁ କଲା ୩ ଦିନ ପରେ। ବିଜେପି ନେତା ଲଳିତ କୁମାର ବେହେରା ମହିଳା ବିଡିଓଙ୍କୁ ଆକ୍ରମଣ କରିବା ଘଟଣା ନେଇ ସିସିଟିଭି ଫୁଟେଜ ରହିଛି। ତଥାପି ପୋଲିସ ବିଳମ୍ବରେ ମାମଲା ଋଜୁ କରି ଚୁପ ବସିଛି। ଏ ନେଇ ଶନିବାର ରାସ୍ତାରୋକ କରିଥିଲା ବିଜେଡି। ଆଜି ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ସରପଞ୍ଚ ସଂଘ ବ୍ଲକ କାର୍ଯ୍ଯାଳୟରେ ତାଲା ପକାଇ କାର୍ଯ୍ଯାନୁଷ୍ଠାନ ଦାବିରେ ଅହୋରାତ୍ର ଧାରଣା ଦେଇଛନ୍ତି। ବ୍ଲକ କାର୍ଯ୍ଯାଳୟରେ ତାଲା ପଡ଼ିବାରୁ କର୍ମଚାରୀମାନେ ଫେରିଯିବା ସହ ସାଧାରଣ ଲୋକେ ମଧ୍ଯ ନାହିଁ ନଥିବା ଅସୁବିଧା ଭୋଗିଛନ୍ତି।

ବିଡିଓଙ୍କୁ ଆକ୍ରମଣ ଘଟଣାର ୪ ଦିନ ପରେ ଜିଲ୍ଲାପାଳଙ୍କୁ ଫେରାଦ କରିଛି ଜିଲ୍ଲା ଓଏଏସ ସଂଘ। ଘଟଣାକୁ ନିନ୍ଦା କରିବା ସହ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ଯାନୁଷ୍ଠାନ ନେବାକୁ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏ ନେଇ ପ୍ରତିକ୍ରିୟା ରଖି ଜିଲ୍ଲାପାଳ କହିଛନ୍ତି, ପୋଲିସ ତଦନ୍ତ କରି ଉଚିତ କାର୍ଯ୍ଯାନୁଷ୍ଠାନ ନେବ। ଏହି ଘଟଣା ପରେ ସମ୍ପୃକ୍ତ ବିଡିଓ ତିଳୋତ୍ତମା ପୃଷ୍ଟି କିଛି ଦିନ ପାଇଁ ଛୁଟିରେ ଅଛନ୍ତି। ସେ ଖୁବଶୀଘ୍ର ତାଙ୍କ କାର୍ଯ୍ଯରେ ଯୋଗଦେବେ। ଜଣେ ପ୍ରଶାସନିକ ଅଧିକାରୀ ଶାସକ ଦଳର ନେତାଙ୍କ ଦ୍ବାରା ଦୁର୍ବ୍ଯହାର ଶିକାର ହେଲେ। ସେହି ଦିନଠୁ ବ୍ଲକରେ ପ୍ରଶାସନିକ ସେବା କାର୍ଯ୍ଯ ପ୍ରଭାବିତ ହେଲାଣି। କାର୍ଯ୍ଯାନୁଷ୍ଠାନ ଦାବିରେ ଲଗାତାର ପଞ୍ଚାୟତ ପ୍ରତିନିଧି ଓ ବିଜୁ ଜନତା ଦଳ ଦାବି କରିଆସୁଛି। କଣ ପାଇଁ ସରକାର ଏ ଦିଗରେ ଚୁପ ଅଛନ୍ତି ସେ ନେଇ ସବୁ ମହଲରେ ଉଦବେଗ ପ୍ରକାଶ ପାଇଛି।

Latest Posts

Don't Miss