ନନ୍ଦିଘୋଷ ବ୍ୟୁରୋ : ରାଜସ୍ଥାନ ଝାଲୱାଡରେ ସ୍କୁଲ ଭୁଶୁଡ଼ିବା ଘଟଣା। ସ୍କୁଲ କୋଠାରେ ବିପଦ ରହିଥିବା ନେଇ ପିଲାମାନେ ସତର୍କ କରାଇଥିଲେ ବି ଶିକ୍ଷକମାନେ ଶୁଣି ନଥିବା ଅଭିଯୋଗ ହୋଇଛି। କୋଠା ଭୁଶୁଡ଼ିବା ସମୟରେ ପିଲାମାନେ ବାହାରେ ଥିଲେ। ତେବେ ସେମାନଙ୍କୁ ଶ୍ରେଣୀକକ୍ଷକୁ ଆସିବା ଲାଗି ଶିକ୍ଷକମାନେ ନିର୍ଦ୍ଦେଶ ଦେଇଥିଲେ। କୋଠା ଭୁଶୁଡ଼ିବା ସମୟରେ ଶିକ୍ଷକମାନେ ଜଳଖିଆ ଖାଉଥିଲେ ବୋଲି ସୂଚନା ମିଳିଛି। ଭୁଶୁଡିବାର କିଛି ସମୟ ପୂର୍ବରୁ ଛାତର କିଛି ଖଣ୍ଡ ତଳେ ପଡିଥିଲା। ପିଲାମାନେ ଏହା ଦେଖି ଶିକ୍ଷକଙ୍କୁ କହିଥିଲେ ବି ସେମାନେ ଏଥିପ୍ରତି ଧ୍ୟାନ ଦେଇ ନଥିଲେ। ବରଂ ନାଲି ଆଖି ଦେଖାଇ ସେହି ଶ୍ରେଣୀ କକ୍ଷରେ ରହିବା ଲାଗି ନିର୍ଦ୍ଦେଶ ଦେଇଥିଲେ। କୋଠା ଭୁଶୁଡ଼ିବା ସମୟରେ ପିଲାମାନେ ଶ୍ରେଣୀ କକ୍ଷରେ ଥିବାବେଳେ ଶିକ୍ଷକମାନେ ବାହାରେ ଥିଲେ। ଏହି ଘଟଣାରେ ୫ ଜଣ ଶିକ୍ଷକଙ୍କୁ ସସପେଣ୍ଡ କରାଯାଇଛି। ଏହି ଘଟଣାରେ ୭ ଛାତ୍ରଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୩୦ ଛାତ୍ର ଆହତ ହୋଇଛନ୍ତି। ସ୍କୁଲଟି ୨୦ ବର୍ଷ ତଳର ହୋଇଥିବା ସତ୍ତ୍ବେ ବିନା ମରାମତିରେ ସେଠାରେ ଶିକ୍ଷାଦାନ ଚାଲିଥିଲା।

