(ନନ୍ଦିଘୋଷ ବ୍ୟୁରୋ) ଋଷି ବିଶ୍ୱାମିତ୍ର ଯେତେବେଳେ ରାଜା ଦଶରଥଙ୍କୁ ନିଜ ସହ ରାମଚନ୍ଦ୍ରଙ୍କୁ ନେଇଯିବାକୁ ଅନୁରୋଧ କରିଥିଲେ । ଦଶରଥ କହିଲେ “ମୁନିବର ଆପଣଙ୍କ ସହ ମୋର ପୁରା ସେନାବାହିନୀକୁ ନେଇଯାଅନ୍ତୁ । ଯଦି ଆପଣଙ୍କ ଯଜ୍ଞରେ ତାଡକା, ସୁବାହୁ ପରି ରାକ୍ଷସ ବାଧା ସୃଷ୍ଟି କରୁଛନ୍ତି , ତାହେଲେ ଆପଣଙ୍କ ସହ ମୁଁ ଯିବାକୁ ପ୍ରସ୍ତୁତ। କିନ୍ତୁ ରାମଙ୍କୁ ନିଅନ୍ତୁ ନାହିଁ । ଉତ୍ତରରେ ବିଶ୍ୱାମିତ୍ର କହିଥିଲେ ମଣିଷ ପାଖରେ ଯୌବନ, ଧନ, ସମ୍ପତ୍ତି ଏବଂ ପ୍ରଭୁତ୍ୱ ଏହି ଚାରୋଟି ଉପାଦାନ ମଧ୍ୟରୁ ଗୋଟିଏ ବି ଥିଲେ ସେ ଅହଙ୍କାରୀ ହୋଇଯାଏ । କିନ୍ତୁ ଶ୍ରୀରାମଙ୍କ ନିକଟରେ ଏ ସମସ୍ତ ଚାରି ଉପାଦାନ ସମାହିତ ଅଛି । ମାତ୍ର ପୃଥିବୀରେ ତାଙ୍କପରି ବିନମ୍ରୀ କେହି ନାହାନ୍ତି । ସେଥିପାଇଁ ମୁଁ ରାମଙ୍କୁ ମୋ ସାଥିରେ ନେବାକୁ ଚାହୁଁଛି କହିଥିଲେ ଋଷି ବିଶ୍ୱାମିତ୍ର ।

ଚୈତ୍ର ଶୁକ୍ଳ ନବମୀ ରାମ ନବମୀ ରୂପେ ପରିଚିତ । ଆଜି ହେଉଛି ସେହି ପବିତ୍ର ପୁରୁଷ ପ୍ରଭୁ ରାମ ଚନ୍ଦ୍ରଙ୍କ ଜନ୍ମଦିନ । ଭଗବାନ ଶ୍ରୀରାମଙ୍କ ଆଜି ହେଉଛି ଜନ୍ମତ୍ସୋବ । ଏହି ଦିନ ମର୍ଯ୍ୟାଦା ପୁରୁଷୋତ୍ତମ ରାମଚନ୍ଦ୍ର ଧରାପୃଷ୍ଠରେ ଜନ୍ମଗ୍ରହଣ କରିଥିଲେ । ସବୁ ବର୍ଷ ରାମ ନବମୀ ବେଶ୍‌ ଧୁମ୍‌ଧାମରେ ସାରା ଦେଶରେ ପାଳନ ହୋଇଥାଏ । ହିନ୍ଦୁ ଧର୍ମର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀରାମଙ୍କ ଜନ୍ମତିଥିକୁ ସମଗ୍ର ଭାରତ ପାଳିଥାଏ । ପୌରାଣିକ ଭିତ୍ତିରେ ତ୍ରେତୟା ଯୁଗରେ ଅଯୋଧ୍ୟାର ରାଜା ଥିଲେ ଦଶରଥ । ତାଙ୍କର ତିନିରାଣୀ କୌଶଲ୍ୟା, କୈକେୟୀ ଓ ସୁମିତ୍ରା । ରାଜାଙ୍କର ବଡଦୁଃଖ ଥିଲା ଯେ ତାଙ୍କର କୌଣସି ସନ୍ତାନ ନ ଥିଲେ ମହାନ ଇକ୍ଷାକୁ କୁଳରେ ଉତ୍ତରାଧିକାରୀ ହେବାକୁ । କୁଳଗୁରୁ ବଶିଷ୍ଠ ପ୍ରାର୍ଥିତ ସନ୍ତାନ ପ୍ରାପ୍ତି ନିମନ୍ତେ ଋଷିଶୃଙ୍ଗଙ୍କଦ୍ୱାରା ପୁତ୍ରେଷ୍ଟି ଯଜ୍ଞ କରିବାକୁ ଦଶରଥଙ୍କୁ ଉପଦେଶ ଦେଲେ ।

ରାଜା କୁଳଗୁରୁ ଉପଦେଶ ଅନୁସାରେ ମହାନ୍ ଋଷି ଋଷିଶୃଙ୍ଗଙ୍କୁ ଅଯୋଧ୍ୟାରେ ଯଜ୍ଞ କରିବାକୁ ତାଙ୍କ ଆଶ୍ରମକୁ ଯାଇ ପ୍ରାର୍ଥନା କଲେ । ବଶିଷ୍ଠ ଓ ଋଷିଶୃଙ୍ଗଦ୍ୱାରା ପୁତ୍ରେଷ୍ଟି ଯଜ୍ଞ ସମାପନ ପରେ ଯଜ୍ଞେଶ୍ୱର ଯଜ୍ଞକୁଣ୍ଡରୁ ଆବିର୍ଭୁତ ହୋଇ ଦଶରଥଙ୍କୁ ଏକ ଚରୁଅନ୍ନପୂର୍ଣ୍ଣ ପାତ୍ର ପ୍ରଦାନ କରି ରାଣୀମାନଙ୍କୁ ସେବନ କରିବାକୁ କହିଲେ । ଦଶରଥ ଅଧା ଚରୁଅନ୍ନ କୌଶଲ୍ୟାଙ୍କୁ ଓ ଅନ୍ୟଅଧା ଭାଗକୁ କୈକେଇଙ୍କୁ ପ୍ରଦାନ କଲେ । କୌଶଲ୍ୟା ଓ କୈକେୟୀ ନିଜନିଜର ଚରୁଅନ୍ନର ଅଧାଭାଗରୁ କନିଷ୍ଠା ରାଣୀ ସୁମିତ୍ରାଙ୍କୁ ସେବନ କରିବାକୁ ଦେଲେ । ଏହାର କିଛିଦିନ ପରେ ତିନିରାଣୀ ଅନ୍ତଃସତ୍ତ୍ୱା ହେଲେ । ପବିତ୍ର ଚୈତ୍ର ନବମୀଦିନ ଦ୍ୱିପ୍ରହରରେ କୌଶଲ୍ୟା ପ୍ରଭୁ ରାମଚନ୍ଦ୍ରଙ୍କୁ, କୈକେୟୀ ଭରତଙ୍କୁ ଓ ସୁମିତ୍ରା ଯମଜ ସନ୍ତାନ ଲକ୍ଷ୍ମଣ ଓ ଶତ୍ରୁଘ୍ନଙ୍କୁ ଜନ୍ମ ଦେଲେ । ବିଷ୍ଣୁଙ୍କ ସପ୍ତମ ଅବତାର ପ୍ରଭୁ ରାମଚନ୍ଦ୍ର ସ୍ୱଇଚ୍ଛାରେ ଅଧର୍ମର ବିଲୋପ ଓ ରାବଣ ଆଦି ରାକ୍ଷାସମାନଙ୍କୁ ସଂହାର କରିବାକୁ ପୃଥିବୀପୃଷ୍ଟରେ ଅବତରଣ କରିଥିଲେ ପ୍ରଭୁ ଶ୍ରୀରାମ ।

କୋଭିଡ ଭୟାବହତା ହେତୁ ରାମନବମୀକୁ କଟକଣା ଅନୁଯାୟୀ ପାଳନ କରିବାକୁ ସରକରାଙ୍କ ନିର୍ଦ୍ଦେଶ ରହିଛି  । ଏହାରି ଭିତରେ ଅନେକ ରାଜ୍ୟରେ କର୍ଫ୍ୟୁ ମଧ୍ୟ ବଳବତ୍ତର ରହିଛି  । ତେଣୁ ଏଭଳି ସ୍ଥିତିରେ ସମଗ୍ର ଦେଶରେ ରାମନବମୀ ନିରାଡମ୍ବର ଭାବରେ ପାଳନ କରାଯାଉଅଛି  । ସେପଟେ ରାମନବମୀରେ ଦେଶବାସୀଙ୍କୁ ଶୁଭେଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଗୃହମନ୍ତ୍ରୀ ଅମିତ ଶାହା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

Leave a Reply