ସର୍ଜରୀ ପୂର୍ବରୁ ହୃଦଘାତ ରୋଗୀଙ୍କୁ ଭଗବଦ୍ ଗୀତା, ରାମାୟଣ ବାଣ୍ଟୁଛନ୍ତି ଡାକ୍ତର

ଲକ୍ଷ୍ନୌ: ଦିନକୁ ଦିନ ହୃଦଘାତ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଅଧିକାଂଶ ହୃଦଘାତଜନିତ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଏପରି ପରିସ୍ଥିତିରେ, ଯେତେବେଳେ ହୃଦଘାତ ରୋଗୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଏ, ସେତେବେଳେ ସେମାନଙ୍କ ମନରେ ଅନେକ ପ୍ରଶ୍ନ ଏବଂ ଭୟ ଥାଏ । ଏହି ଭୟ ଏବଂ ଦ୍ୱନ୍ଦକୁ ଦୂର କରିବା ପାଇଁ ଡାକ୍ତର ନିଆରା ପ୍ରୟାସ କରିଛନ୍ତି। ଡାକ୍ତର ସେମାମଙ୍କୁ ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରନ୍ତି ।

ଆଧ୍ୟାତ୍ମିକ ପୁସ୍ତକ ପଢ଼ିବା ତଥା ମନ୍ତ୍ର ଆଦି ଉଚ୍ଚାରଣ ଦ୍ବାରା ମନକୁ ଶାନ୍ତି ମିଳିଥାଏ। ଏହି କ୍ରମରେ ଉତ୍ତରପ୍ରଦେଶ କାନପୁରର ହୃଦ୍‌ରୋଗ ବିଶେଷଜ୍ଞ ଡା. ନୀରଜ କୁମାର ରୋଗୀଙ୍କୁ ଖୁସି କରିବା ତଥା ସେମାନଙ୍କ ମନୋବଳ ବୃଦ୍ଧି କରିବା ପାଇଁ ସେମାନଙ୍କୁ ବିଭିନ୍ନ ପ୍ରକାର ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରୁଛନ୍ତି। ଲକ୍ଷ୍ମୀପତ୍‌ ସିଂଘାଣିଆ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କାର୍ଡିଓଲୋଜି ଓ କାର୍ଡିଆକ୍‌ ସର୍ଜରି ବିଭାଗରେ ରୋଗୀଙ୍କୁ ଔଷଧ ସହିତ ଭଗବଦ୍ ଗୀତା, ସୁନ୍ଦରକାଣ୍ଡ, ରାମାୟଣ, ହନୁମାନ ଚାଳିସା ରୋଗୀଙ୍କୁ ମାଗଣାରେ ବଣ୍ଟନ କରାଯାଏ। ହସ୍ପିଟାଲରେ ଆଡମିସନ ହେବା ପରେ ସେମାନଙ୍କୁ ଏହି ପୁସ୍ତକ ପ୍ରଦାନ କରାଯାଏ। ସୂଚନ ଅନୁଯାୟୀ, ରୋଗୀମାନଙ୍କୁ ଏହି ଆଧ୍ୟାତ୍ମିକ ପୁସ୍ତକ ପଢିବା ପାଇଁ କୁହାଯାଏ । ଏହାଦ୍ୱାର ସେମାନେ ଜୀବନର ପ୍ରକୃତ ମହତ୍ୱ ବୁଝିବା ସହିତ ମନକୁ ଶାନ୍ତିରେ ରଖିପାରିବେ । ବର୍ଷକ ତଳେ ଡା. ନୀରଜ ଆରମ୍ଭ କରିଥିବା ଏଭଳି ଏକ କାର୍ଯ୍ୟ ଦ୍ବାରା ରୋଗୀମାନେ ବେଶ୍ ଉପକୃତ ହୋଇପାରିଛନ୍ତି। ଯାହାକୁ ସର୍ଜରି ତଥା ଦୀର୍ଘକାଳୀନ ଚିକିତ୍ସା ପାଇଁ ଆସିଥିବା ରୋଗୀଙ୍କୁ ପଢ଼ିବା ପାଇଁ ପ୍ରଦାନ କରାଯାଏ।

ସେହିପରି ଏହାକୁ ସେ ତାଙ୍କ ଚିକିତ୍ସାର ଏକ ଅଂଶ କରିଛନ୍ତି। ଅନ୍ୟପଟେ ଅନ୍ୟ ରୋଗୀଙ୍କ ତୁଳନାରେ ଆଧ୍ୟାତ୍ମିକ ବହି ପଢ଼ୁଥିବା ରୋଗୀ ହସ୍‌ପିଟାଲରୁ ଯିବା ସମୟରେ ଅଧିକ ଖୁସି ଥିବା ସେ କହିଛନ୍ତି। ନୀରଜ ତାଙ୍କ ନିଜସ୍ବ ଅର୍ଥରେ ଏହି ସବୁ ବହି କିଣିଥାନ୍ତି। ଅବଶ୍ୟ ପ୍ରଥମେ ସେ ରୋଗୀଙ୍କୁ ଖବରକାଗଜ ପଢ଼ିବାକୁ ଦେଉଥିଲେ, କିନ୍ତୁ ଏହାର ପରିଣାମ ସେତେଟା ଫଳପ୍ରଦ ନ ହେବାରୁ ସେ ତାଙ୍କ ରୋଗୀମାନଙ୍କୁ ଏହିସବୁ ବହି ପ୍ରଦାନ କରିବା ଆରମ୍ଭ କଲେ। ଡାକ୍ତରଙ୍କ ଏଭଳି ଏକ କାର୍ଯ୍ୟ କେବଳ ରୋଗୀଙ୍କ ହୃଦୟ ଜିଣି ନାହିଁ, ବରଂ ସମସ୍ତେ ତାଙ୍କର ଏହି କାର୍ଯ୍ୟକୁ ବେଶ୍ ପସନ୍ଦ ତଥା ପ୍ରଶଂସା କରୁଛନ୍ତି।