୧୨ ବର୍ଷର ସମ୍ପର୍କ ଶେଷ: ହନି ସିଂ-ଶାଲିନୀ ତଲଓ୍ବାରଙ୍କ ଛାଡ଼ପତ୍ର ମଞ୍ଜୁର

ନୂଆଦିଲ୍ଲୀ: ରାପର ହନି ସିଂଙ୍କ ପତ୍ନୀ ଶାଲିନୀଙ୍କ ସହ ଛାଡ଼ପତ୍ର । ଦୀର୍ଘଦିନ ହେଲା ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ହନି । ଶେଷରେ ଦିଲ୍ଲୀ ଫ୍ୟାମିଲି କୋର୍ଟ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି । ଦେଢ଼ ବର୍ଷ ହେଲା ଚାଲିଥିଲା ଏହି ବହୁ ଚର୍ଚ୍ଚିତ ଛାଡ଼ପତ୍ର ମାମଲାର ବିଚାର ।

ଶାଲିନୀ ହନିଙ୍କ ଉପରେ ଘରୋଇ ହିଂସା ଅଭିଯୋଗ ଆଣିଥିଲେ । ଛାଡ଼ପତ୍ରକୁ ମଞ୍ଜୁରୀ ଦେବା ପୂର୍ବରୁ ପତ୍ନୀ ସହ ରହିବାକୁ ଚାହୁଁଛ କି ବୋଲି କୋର୍ଟ ହନିଙ୍କୁ ପଚାରିଥିଲେ । ଯାହାର ଉତ୍ତରରେ ହନି କହିଥିଲେ, ଏବେ ଏକାଠି ରହିବା ସମ୍ଭବ ହେବନି । ହନିଙ୍କ ଉତ୍ତରରେ ଶାଲିନୀ ମଧ୍ୟ ସହମତ ହୋଇଥିଲେ ।

ଏହାସହ ହନି ଏବଂ ଶାଲିନୀ ପରସ୍ପର ଉପରେ ଲଗାଇ ଥିବା ଆରୋପ ପ୍ରତ୍ୟାହାର କରି ନେଇଥିଲେ । ହେଲେ କେଉଁ ସର୍ତ୍ତରେ ଉଭୟଙ୍କୁ ଛାଡ଼ପତ୍ର ମିଳିଛି ତାହା ଏକ ବନ୍ଦ ଲଫାପାରେ ରଖାଯାଇଛି ।

ସୂଚନାଯୋଗ୍ୟ, ଗତବର୍ଷ, କୋର୍ଟଙ୍କ ରାୟ ଅନୁସାରେ ହନି ଶାଲିନୀଙ୍କୁ ଏକ କୋଟି ଟଙ୍କାର ଡ୍ରାଫ୍ଟ ଚେକ୍ ପ୍ରଦାନ କରିଥିଲେ । ସେପଟେ ଶାଲିନୀ ହନିଙ୍କ ବିରୋଧରେ ଅଭିଯୋଗ ଆଣି କହିଥିଲେ ସେ ଭୟର ବାତାବରଣରେ ରହୁଛନ୍ତି । କାରଣ ହନି ଓ ତାଙ୍କ ପରିବାର ପକ୍ଷରୁ ମାନସିକ, ଶାରୀରିକ, ଯୌନ ଓ ଆର୍ଥିକ ନିର୍ଯାତନା ଦିଆଯାଉଛି ।

ଏଠାରେ କହି ରଖିବାକୁ ଚାହୁଁଛି, ହନି ଏବଂ ଶାଲିନ ପ୍ରେମ ବିବାହ କରିଥିଲେ । ଉଭୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରୁଥିଲେ । ଏହାପରେ ୨୦୧୧ ରେ ଦିଲ୍ଲୀର ଏକ ଗୁରୁଦ୍ବାରରେ ଶିଖ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା । ହେଲେ ଏହା ପ୍ରକାଶ କରି ନଥିଲେ । ପରେ ଉଭୟଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିବା ପରେ ବିବାହ କଥା ହନି ସ୍ବୀକାର କରିଥିଲେ ।