ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ

ପୁରୀ: ବାହୁଡ଼ିଲେ ଶ୍ରୀଜିଉ । ଗୁଣ୍ଡିଚା ମନ୍ଦିରରୁ ବାହାରି ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ଲାଗିଲା ତିନି ରଥ । ପ୍ରଥମେ ପ୍ରଭୁ ବଳଭଦ୍ର, ପରେ ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ରଥ ସିଂହଦ୍ବାର ସମ୍ମୁଖରେ ଲାଗିଥିଲା ।

ତିନି ରଥରେ ଗଜପତି ମହାରାଜ ଛେରାପହଁରା କରିବା ପରେ ଆରମ୍ଭ ହୋଇଥିଲା ରଥଟଣା ପାଇଁ ପ୍ରସ୍ତୁତି । ତିନି ରଥରୁ ଚାରମାଳ ଫିଟାଯିବା ପରେ ଅଶ୍ବ ଯୋଖା ଯାଇଥିଲା । ଏହାପରେ ଆରମ୍ଭ ହୋଇଥିଲା ରଥ ଟଣା । ପ୍ରଥମେ ଶ୍ରୀମନ୍ଦିର ଅଭିମୁଖେ ବାହାରିଥିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ବଜ ରଥ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିତରେ ଘଣ୍ଟ ଘଣ୍ଟା, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ହେଉଥିଲା ବଡ଼ଦାଣ୍ଡ । ଏହାପରେ ଆରମ୍ଭ ହୋଇଥିଲା ମାଆ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ।

ପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ନନ୍ଦିଘୋଷଙ୍କ ନନ୍ଦିଘୋଷ ରଥ ଟଣା । ତିନି ରଥ ମାଉସୀ ମାଆ ମନ୍ଦିର ପାଖରେ ଗୋଟିକ ପରେ ଗୋଟିଏ ଅଟକି ଥିଲା । ଏଠାରେ ମାଉସୀ ତିନି ଭାଇ ଭଉଣୀଙ୍କୁ ପୋଡପିଠା ଖାଇବାକୁ ଦେଇଥିଲେ । ସେଠାରୁ ତାଳଧ୍ବଜ ଏବଂ ଦର୍ପଦଳନ ଆସି ସିଂହଦ୍ବାର ସମ୍ମୁଖରେ ଅଟକି ଥିଲେ ।

ହେଲେ ଜଗାଙ୍କ ନନ୍ଦିଘୋଷ ରଥ ଶ୍ରୀନଅର ସମ୍ମୁଖରେ ଅଟକି ଥିଲା । ମାଆ ଲକ୍ଷ୍ମୀଙ୍କୁ ସାଙ୍ଗରେ ନେଇ ଗଜପତି ମହାରାଜ ନନ୍ଦିଘୋଷ ରଥ ନିକଟରେ ପହଞ୍ଚି ଥିଲେ । ସେଠାରେ ଗଜପତି ମହାରାଜ ଲକ୍ଷ୍ମୀନାରାୟଣଙ୍କ ଭେଟ କରାଇଥିଲେ । ଏହାପରେ ନନ୍ଦିଘୋଷ ସିଂହଦ୍ବାର ସମ୍ମୁଖକୁ ଆସିଥିଲା ।