ରାୟଗଡାରେ ଆତର ଅଭାବୀ ବିକ୍ରି, ଚାଷୀଙ୍କୁ ମିଳୁନି ଉଚିତ ପ୍ରାପ୍ୟ

ରାୟଗଡା : ପାହାଡିଆ ଆତ ଦେଖିବାକୁ ଯେତିକି ସୁନ୍ଦର ସେତିକି ସୁଆଦିଆ । ରାୟଗଡା ଜିଲ୍ଲାର ପାହାଡି ମୁଲକରେ ଉତ୍ପାଦିତ ହେଉଛି ଶହ ଶହ କ୍ଵିଣ୍ଟାଲ ଆତ । ଚାଷୀ ମାନେ ୨୦ କିଲୋମିଟର ଦୂରରୁ ଆତ ବୋହି ଆଣି ରାୟଗଡା ସହରର ହାଟ ବଜାରରେ ଆତର ପସରା ମେଲାଉଛନ୍ତି । ହେଲେ ବିକ୍ରିବଟା ପାଇଁ ସ୍ବତନ୍ତ୍ର ବଜାର ନଥିବାରୁ ଚାଷୀଙ୍କୁ ଉଚିତ ମୂଲ୍ୟ ମିଳୁନାହିଁ । ଦଲାଲଙ୍କ କବଜାରେ ପଡି ଚାଷୀ ଶୋଷଣର ଶିକାର ହେଉଛନ୍ତି । ଗୋଟିଏ ଝୁଡିରେ ପ୍ରାୟ ୧୦ କିଲୋ ଗ୍ରାମର ଆତ ରହୁଥିବା ବେଳେ ବାହାର ରାଜ୍ୟର ବେପାରୀ ମାନେ ଝୁଡି ପିଛା ୨ ଶହ ଟଙ୍କାରେ କିଣି ନେଉଛନ୍ତି । ବାହାର ରାଜ୍ୟରେ କିଲୋପ୍ରତି ୮୦ ଟଙ୍କାରେ ବିକି ମାଲେମାଲ ହେଉଛନ୍ତି ।

ରାୟଗଡା ସଦର ବ୍ଲକର ବାଇସିଂ,ଦୁର୍ଗାପାଡୁ, ପିପଲଗୁଡା, କୁଲି, ବାଡ ଆଳୁବାଡି ଆଦି ପଞ୍ଚାୟତର ଅନେକ ଗାଁରେ ଆତ ଉତ୍ପାଦନ ହେଉଛି । ହେଲେ ବଜାରୀକରଣ ବ୍ୟବସ୍ଥା ନଥିବାରୁ ଚାଷୀ ଅଭାବୀ ବିକ୍ରିର ଶିକାର ହେଉଛନ୍ତି । ଅନ୍ୟପଟେ ଆତର ବଜାର ସୃଷ୍ଟି କରିବା ପାଇଁ ଉଦ୍ୟମ ଜାରି ରହିଛି ବୋଲି କହିଛନ୍ତି  ଓରମାସ ସଂସ୍ଥାର ସହକାରୀ ନିର୍ଦ୍ଦେଶକ । ଆତର ବିକ୍ରିବଟା ପାଇଁ ସ୍ବତନ୍ତ୍ର ବଜାର ନଥିବା ଯୋଗୁଁ ଚାଷୀ ମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି ।