spot_img

Latest Posts

୬ ମାସ ହେଲା ମିଳୁନି ସହାୟତା ରାଶି

ରାୟଗଡା : ସରକାରୀ ଅବହେଳାର ଶିକାର ଅନାଥ ପିଲା । ୬ ମାସ ହେଲା ମିଳୁନି ସହାୟତା ରାଶି । ରାୟଗଡା ଜିଲ୍ଲାରେ ବାପା, ମାଆ ଛେଉଣ୍ଡ ପିଲାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ମାସ ମୁଣ୍ଡ ପିଛା ୪ ହଜାର ଟଙ୍କା ଲେଖାଏଁ ପ୍ରାୟୋଜକ ବା ସ୍ପନସରସିପ୍ ରାଶି ମିଳୁଥିଲା । ହେଲେ ଗତ ୬ ମାସ ହେବ ଏହି ରାଶି ମିଳିବା ବନ୍ଦ ହୋଇଯାଇଛି । ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଆସୁନି ।  ଗତ ଦୁଇ ବର୍ଷ ତଳେ ଜିଲ୍ଲାର ଜଣେ ଯୁବ ସାମ୍ବାଦିକ ଗଜମୋହନ ଗରଡିଆଙ୍କ ମୃତ୍ୟୁ ପରେ ତାଙ୍କ ଦୁଇ ପିଲାଙ୍କୁ ୮ ହଜାର ଟଙ୍କା ସହାୟତା ରାଶି ମିଳୁଥିଲା । ସେଥିରେ ମୃତକଙ୍କ ସ୍ତ୍ରୀ ଯଶୋଦା ଗରଡିଆ ପିଲାଙ୍କ ପାଠପଢା ଖର୍ଚ୍ଚ ଉଠାଉଥିଲେ । ହେଲେ ଏବେ ସହାୟତା ରାଶି ବନ୍ଦ ହୋଇଯିବାରୁ ପିଲାଙ୍କ ଲାଳନପାଳନ କରିବା ଯଶୋଦାଙ୍କ ପକ୍ଷେ ମୁସ୍କିଲ ହୋଇପଡିଛି ।

ରାୟଗଡା ଜିଲ୍ଲାରେ ୬ ରୁ ୧୮ ବର୍ଷ ପର୍ଯ୍ୟନ୍ତ ଥିବା ୧୭୦ ଜଣ ପିଲାଙ୍କୁ ଚିହ୍ନଟ କରାଯାଇ ଏହି ସହାୟତା ରାଶି ପ୍ରଦାନ କରାଯାଉଛି । ବାପା ମା ଛେଉଣ୍ଡ ଶିଶୁଙ୍କ ଦାୟିତ୍ବ ନେଇଥିବା ସଂପର୍କୀୟଙ୍କ ବାର୍ଷିକ ଆୟ ୯୦ ହଜାରରୁ କମ୍ ରହିଥିଲେ ଏହି ଯୋଜନାରେ ସାମିଲ କରାଯିବାର ବ୍ୟବସ୍ଥା କରାଯାଇଛି । ନିୟମିତ ଭାବେ ସମସ୍ତ ଶିଶୁଙ୍କ ପାଇଁ ସେମାନଙ୍କ ଆକାଉଣ୍ଟକୁ ୪ ହଜାର ଟଙ୍କା ଲେଖାଏଁ ପଠାଯାଉଛି । ହେଲେ ଦୀର୍ଘ ୬ ମାସ ହେବ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅନ୍ୟପଟେ ଅନୁଦାନ ଆସିଲେ ପିଲାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବ ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ । ରାଜ୍ୟ ସରକାର ପିଲାଙ୍କୁ ଶୀଘ୍ର ସହାୟତା ଯୋଗାଇଦେବା ଜରୁରୀ ହୋଇପଡିଛି ।

Latest Posts

Don't Miss