ଅବ୍ୟବସ୍ଥା ଘେରରେ ବିଷ୍ଣୁଗୁଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ଭଙ୍ଗା ଦଦରା ଘରେ ଚାଲିଛି ପିଲାଙ୍କ ପାଠପଢା

1 min read

ରାୟଗଡା : ଅବ୍ୟବସ୍ଥା ଘେରରେ ଶିକ୍ଷାନୁଷ୍ଠାନ । ବିପଦପୂର୍ଣ୍ଣ ଭାବେ ଚାଲିଛି ପିଲାଙ୍କ ପାଠପଢା । ଦେଖନ୍ତୁ କିପରି ଛାତରୁ ଛାଡିଗଲାଣି ପ୍ଲାଷ୍ଟର । ବାହାରକୁ ଜଳଜଳ ହୋଇ ଦିଶୁଛି ଲୁହା ରଡ । କାନ୍ଥ ସବୁ ଫାଟି ଆଁ କଲାଣି । କେତେବେଳେ ଯେ କାନ୍ଥ ଭୁଶୁଡି ପଡିବ ତାହା ଠିକଣା ନାହିଁ । ସରକାରଙ୍କ ଦୃଷ୍ଟି ଆଢୁଆଳରେ ରାୟଗଡା ବ୍ଳକ ପିତାମହଲ ପଞ୍ଚାୟତ ବିଷ୍ଣୁଗୁଡ଼ା ସରକାରୀ ଉଚ୍ଚ ବିଦ୍ଯାଳୟ । ବିଦ୍ଯାଳୟରେ ୮ମ, ୯ମ, ୧୦ମ ଶ୍ରେଣୀରେ ସର୍ବମୋଟ ୮୫ ଜଣ ପିଲା ପଢୁଛନ୍ତି । ହେଲେ ବିଦ୍ଯାଳୟରେ କୌଣସି ଭିତ୍ତିଭୂମିର ସୁବିଧା ନାହିଁ । ସ୍ଵଚ୍ଛ ପାଣି ମୁନ୍ଦାଏ ପାଉନାହାନ୍ତି ପିଲା । ଯେଉଁ ନଳକୂପଟିଏ ଅଛି ସେଥିରୁ ଲୁହାଗୁଣ୍ଡ ମିଶ୍ରିତ ପାଣି ବାହାରୁଛି । ଖାଲି ସେତିକି ନୁହେଁ ପିଲା ମଧ୍ଯାହ୍ନ ଭୋଜନ ପାଇଁ ଚାଲି ଚାଲି ଗୋଟେ କିଲୋମିଟର ଦୂରରେ ଥିବା ପ୍ରାଇମେରୀ ସ୍କୁଲକୁ ଯାଉଛନ୍ତି । ଶୀଘ୍ର ବିଦ୍ଯାଳୟର ଏହିସବୁ ସମସ୍ଯା ଦୂର କରିବାକୁ ଅନୁରୋଧ କରିଛନ୍ତି ଛାତ୍ରଛାତ୍ରୀ ।

୨୦୧୬ ମସିହାରେ ରାଷ୍ଟ୍ରୀୟ ମାଧ୍ଯମିକ ଶିକ୍ଷା ଅଧୀନରେ ୫୦ ଲକ୍ଷ ଟଙ୍କା ବ୍ଯୟରେ ବିଷ୍ଣୁଗୁଡ଼ା ବିଦ୍ଯାଳୟ ନିର୍ମାଣ କରାଯାଇଥିଲା । ତତ୍କାଳୀନ ବିଜେଡି ସରକାର ସମୟରେ 5T ଯୋଜନାରେ ସ୍କୁଲର ରୂପାନ୍ତରୀଣ କରାଯିବାର ଯୋଜନା ଥିଲା । ସରକାରଙ୍କ ପକ୍ଷରୁ ୪୫ ଲକ୍ଷ ଟଙ୍କା ଅନୁଦାନ ବି ଆସିଥିଲା । କିନ୍ତୁ ବିଦ୍ୟାଳୟର ନିଜସ୍ୱ ଜମିର ରେକର୍ଡ ଅଫ ରାଇଟସ ନ ଥିବାରୁ ସରକାରଙ୍କ ପାଖକୁ ଅନୁଦାନ ପୁଣି ଫେରିଯାଇଛି । ଫଳରେ ଛାତ୍ରୀଛାତ୍ରୀ ମୌଳିକ ସୁବିଧା ପାଇବାରୁ ବଞ୍ଚିତ ହୋଇଛନ୍ତି।