‘କ୍ଷମା ପ୍ରାର୍ଥନା କଲେ ପ୍ରତ୍ୟାହୃତ ହେବ ନିଲମ୍ୱନ ଆଦେଶ’

ନୂଆଦିଲ୍ଲୀ: ନିଲମ୍ୱିତ ସାଂସଦମାନେ କ୍ଷମା ପ୍ରାର୍ଥନା କଲେ ସେମାନଙ୍କୁ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହେବ । ଏହା କହିଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ । ସେ କହିଛନ୍ତି ଯେ, ସାଂସଦଙ୍କୁ ପାର୍ଲିଆମେଣ୍ଟରୁ ନିଲମ୍ୱିତ କରାଯିବାର କାରଣ ସମ୍ପର୍କରେ ଅବଗତ କରାଯାଇଛି । ଏବଂ ସଂସଦ ଭିତରେ ଯାହା ଘଟିଲା ତାହାର ରେକର୍ଡ ମଧ୍ୟ ରହିଛି । ଆଜି ବି ସେମାନେ ଯଦି ସେମାନଙ୍କ କାର୍ଯ୍ୟକଳାପ ଲାଗି କ୍ଷମାପ୍ରାର୍ଥନା କରିବେ ତେବେ ସେମାନଙ୍କୁ ଉପରୁ ନିଲମ୍ୱନ ଆଦେଶ ପ୍ରତ୍ୟାହର କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଜେପି ସଂସଦୀୟ ଦଳ ବୈଠକ ପରେ ଏହା କହିଛନ୍ତି ଶ୍ରୀ ଯୋଶୀ ।

ସୂଚନା ଯୋଗ୍ୟ ଯେ, ବିଶୃଙ୍ଖଳିତ ଆଚରଣ ପାଇଁ ୧୨ ରାଜ୍ୟସଭା ସାଂସଦଙ୍କୁ ନିଲମ୍ୱିତ କରାଯାଇଛି । ଶୀତ ଅଧିବେଶନର ପ୍ରଥମ ଦିନରେ ରାଜ୍ୟସଭାରେ କୃଷି ଆଇନ ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ଗୁଡ଼ିକର ସାଂସଦମାନେ ହୋହଲ୍ଲା କରିବା ସହ ନାରାବାଜି କରିଥିଲେ । ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯାହାଫଳରେ ବାକି ଥିବା ଶୀତ ଅଧିବେଶନ ପର୍ଯ୍ୟନ୍ତ ୧୨ ସଂସଦଙ୍କୁ ନିଲମ୍ୱିତ କରାଯାଇଛି। ନିଲମ୍ବିତ ସାଂସଦଙ୍କ ମଧ୍ୟରେ ୬ଜଣ କଂଗ୍ରେସର, ଦୁଇ ଜଣ ଟିଏମସି, ୨ଜଣ ଶିବସେନା ଓ ସିପିଏମ ଏବଂ ସିପିଆଇରୁ ଜଣେ ଲେଖାଁଏ ଅଛନ୍ତି ।

ଅନ୍ୟପକ୍ଷରେ ଏଭଳି କାର୍ଯ୍ୟାନୁଷ୍ଠାନର ଦୃଢ଼ ବିରୋଧ କରିଛନ୍ତି ବିରୋଧୀ ଦଳ । ନିଲମ୍ୱିତ ହୋଇଥିବା ୧୨ଜଣ ରାଜ୍ୟସଭା ସଦସ୍ୟଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରି ବିରୋଧୀ ଦଳର ନେତାମାନେ ସଂସଦ ପରିସରସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପ୍ରତିବାଦ କରିଆସୁଛନ୍ତି ।  ପ୍ରତିବାଦରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ତୃଣମୂଳ କଂଗ୍ରେସର ସୌଗତ ରାୟ ଏବଂ ସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀଙ୍କ ସମେତ ଅନ୍ୟ ନେତା ମଧ୍ୟ ସାମିଲ ଥିଲେ । ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ସଂସଦ ଟିଭିରୁ ଇସ୍ତଫା ଦେଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ସଂସଦ ଟିଭି ଆଙ୍କର ପଦରୁ ପ୍ରିୟଙ୍କାଙ୍କ ଇସ୍ତଫା

Leave a Reply