‘ରାମବାଣ’ ନୁହେଁ ରେମଡେସିବିର, ସାମାନ୍ୟ ଲକ୍ଷଣ ଥିଲେ ଘରେ ଚିକିତ୍ସିତ ହେବାକୁ ବିଶେଷଜ୍ଞଙ୍କ ପରାମର୍ଶ

2 min read
Remdesivir isn't a 'Ramban', it only decreases viral load

ନୂଆଦିଲ୍ଲୀ: ଦେଶରେ କରୋନାର ଭୟାବହ ପ୍ରକୋପ ଲାଗି ରହିଛି । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । କରୋନା ଭାଇରସ ସଂକ୍ରମଣକୁ ନେଇ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ସହ ଡର ରହିଥିବା ବେଳେ ଦେଶବାସୀଙ୍କୁ କରୋନା ଟିପ୍ସ ଦେଇଛନ୍ତି ୩ ବରିଷ୍ଠ ଡାକ୍ତର । ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ନାରାୟଣ ହେଲଥର ଅଧ୍ୟକ୍ଷ ଡାକ୍ତର ଦେବୀ ସେଟ୍ଟୀ ଓ ମେଦାନ୍ତ ହସ୍ପିଟାଲର ଅଧ୍ୟକ୍ଷ ଡାକ୍ତର ନରେଶ ତ୍ରେହନ କରୋନାକୁ ନେଇ ବ୍ୟତିବ୍ୟସ୍ତ ନହେବା ଲାଗି ପରାମର୍ଶ ଦେଇଛନ୍ତି ।

ଆଲୋଚନା ବେଳେ ରେମଡେସିବିର ‘ରାମବାଣ’ ନୁହେଁ, ଏହା କେବଳ ଭାଇରଲ ଲୋଡ୍ କମ୍ କରେ ବୋଲି କହିଛନ୍ତି ଡାକ୍ତର ନରେଶ ତ୍ରେହନ । କରୋନାର ଲକ୍ଷଣ ଥଣ୍ଡା, କଫ, ବାନ୍ତି ଥିଲେ ତୁରନ୍ତ କୋଭିଡ୍ ଟେଷ୍ଟ କରାଇ ନେବା ଉଚିତ୍ । ସଂକ୍ରମିତ ଚିହ୍ନଟ ହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଘରେ ଚିକିତ୍ସିତ ହୁଅନ୍ତୁ । ମାସ୍କ ପିନ୍ଧିବା ସହ ପ୍ରତି ୬ ଘଣ୍ଟାରେ ଏକ୍ସିଜେନ୍ ସ୍ତର ଯାଞ୍ଚ କରାଇବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର ଦେବୀ ସେଟ୍ଟୀ ।

ଶରୀରରେ ଅକ୍ସିଜେନ୍ ସ୍ତର ୯୪ ଉପରେ ଥିଲେ କୌଣସି ସମସ୍ୟା ନାହିଁ । ଯଦି ପ୍ରୟାସ ପରେ ଅକ୍ସିଜେନ୍ ସ୍ତର ୯୪ ତଳକୁ ଖସୁଛି ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ । ବହୁତ୍ କମ ଲୋକଙ୍କୁ ହସ୍ପିଟାଲ ଚିକିତ୍ସା ଆବଶ୍ୟକ । ରେମଡେସିବିର ପ୍ରୟୋଗ ଲାଗି ଏକ ପ୍ରୋଟୋକଲ୍ ରହିଛି । ଯିଏ କେହି ବି କରୋନା ସଂକ୍ରମିତ ହେଲେ ତାଙ୍କୁ ରେମଡେସିବିର ଆବଶ୍ୟକ ନାହିଁ । ଡାକ୍ତର ଟେଷ୍ଟ ରିପୋର୍ଟ, ଲକ୍ଷଣ, ବହୁବିଧ ରୋଗରେ ଆକ୍ରାନ୍ତ ଦେଖିଲା ପରେ ରେମଡେସିବିର ଦେବେ । ରେମଡେସିବିର ‘ରାମବାଣ’ ନୁହେଁ, ଏହା କେବଳ ଭାଇରଲ ଲୋଡ୍ କମ୍ କରେ ।

୮୫ ପ୍ରତିଶତ କୋଭିଡ୍ ଆକ୍ରାନ୍ତ କୌଣସି ସ୍ୱତନ୍ତ୍ର ଚିକିତ୍ସା ବିନା ଠିକ୍ ହୋଇଯାଆନ୍ତି । ସେମାନଙ୍କ ଠାରେ ପ୍ରାୟତଃ ୫ରୁ ୭ ଦିନ ସାଧାରଣ ଥଣ୍ଡା, ତଣ୍ଟି ଦରଜ ସମସ୍ୟା ଥାଏ । ସେମାନେ ସାଧାରଣ ଚିକିତ୍ସାରେ ଠିକ୍ ହୋଇଯାଆନ୍ତି । ମାତ୍ର ୧୫ ପ୍ରତିଶତଙ୍କୁ ଚିକିତ୍ସା ସେବା ଆବଶ୍ୟକ ବୋଲି ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ।

ସମସ୍ତଙ୍କୁ ଅକ୍ସିଜେନ୍ ଓ ରେମଡେସିବିରର ଆବଶ୍ୟକତା ନାହିଁଷ । ଯଦି ଆମେ ଜରୁରୀ ହିସାବରେ ରେମଡେସିବିର ଓ ଅକ୍ସିଜେନର ଉପଯୋଗ କରିବା ତ ଅଭାବ ରହିବ ନାହିଁ ବୋଲି ଡାକ୍ତର ଗୁଲେରିଆ କହିଛନ୍ତି । ଏପରିକି ଅକ୍ସିଜେନ୍ ସ୍ତର ୯୪ ତଳେ ଥିଲେ ମଧ୍ୟ ଅକ୍ସିଜେନ୍ ଆବଶ୍ୟକ ନଥାଏ ବରଂ ମନିଟରିଂ ଦରକାର ଥାଏ ବୋଲି ସେ କହିଛନ୍ତି ।

Leave a Reply