ବିମାନରେ ପୁଣି ଲଜ୍ଜାଜନକ ଘଟଣା, ସହଯାତ୍ରୀଙ୍କ ଉପରେ ପରିସ୍ରା କରିଦେଲେ ମଦ୍ୟପ ଯାତ୍ରୀ

1 min read

ନୂଆଦିଲ୍ଲୀ: ନ୍ୟୁୟର୍କ –ଦିଲ୍ଲୀ ଫ୍ଲାଇଟରେ ପୁଣି ଲଜ୍ଜାଜନକ ଘଟଣା । ଜଣେ ମଦ୍ୟପ ଯାତ୍ରୀ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିସ୍ରା କରିବା ଅଭିଯୋଗ ହୋଇଛି । ପରିସ୍ରା କରିଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏହି ଘଟଣା ପରେ ବିମାନରେ ହିଁ ତଦନ୍ତ ହୋଇଛି ଏବଂ ପରିସ୍ରା କରିଥିବା ବ୍ୟକ୍ତିଙ୍କୁ ଆଇନ କାର୍ଯ୍ୟକାରୀ କରୁଥିବା ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି ବୋଲି ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ କୁହାଯାଇଛି । ଘଟଣାରେ ଏଫଆଇଆର ରୁଜୁ କରାଯାଇଛି ।

ଗତକାଲି ଆମେରିକାନ ଫ୍ଲାଇଟ ଏଏ-୨୯୨ରେ ଏହି ଘଟଣା ଘଟିଥିଲା । ବିମାନଟି ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବା ମାତ୍ରେ ଅଭିଯୁକ୍ତଙ୍କୁ ସିଆଇଏସଏଫ ଗିରଫ କରିଥିଲା । କିଛି ଦିନ ମଧ୍ୟରେ ଏହି ଧରଣର ଘଟଣା ଘଟିଲାଣି ୩ ଥର । ଗତବର୍ଷ ନଭେମ୍ବର ୨୬ ତାରିଖରେ ନ୍ୟୁୟର୍କ-ଦିଲ୍ଲୀ ବିମାନରେ ଜଣେ ମହିଳାଙ୍କ ଉପରେ ଜଣେ ବ୍ୟକ୍ତି ପରିସ୍ରା କରିଦେଇଥିଲେ । ଗତବର୍ଷ ଡିସେମ୍ବର ୬ରେ ପ୍ୟାରିସ-ନୂଆଦିଲ୍ଲୀ ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ସିଟରେ ଜଣେ ବ୍ୟକ୍ତି ପରିସ୍ରା କରିଦେଇଥିଲେ ।