ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ, ଜଣେ ମୃତ ଓ ୨୦ରୁ ଅଧିକ ଆହତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା। ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଥିବା ଏକ ବାଲି ବୋଝେଇ ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।

ସୂଚନା ଅନୁସାରେ ଡଲଫିନ ନାମକ ଏକ ଘରୋଇ ନାଇଟ କୋଚ୍ ବସ ପୁରୀ ଅଭିମୁଖେ ଯାଉଥିଲା। ତେବେ ଜରପଡ଼ା ନିକଟରେ ଦୁର୍ଘଟଣା ଗ୍ରସ୍ତ ହାଇଓ୍ବାକୁ ବସଟି ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ଡ୍ରାଇଭରର ମୃତ୍ୟୁ ହୋଇଥିଲା। ଗାଡି ଏତେ ଜୋରରେ ଧକ୍କା ହୋଇଥିଲା ଯେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।

ସ୍ଥାନୀୟ ଲୋକ ଓ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ବସଯାତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଅଛି ।