ରୋଜଭ୍ୟାଲି ଚିଟ୍‌ଫଣ୍ଡ ସଂସ୍ଥା ଓଡ଼ିଶା ମୁଖ୍ୟ କୋଲକାତାରୁ ଗିରଫ

କୋଲକାତା: ଗିରଫ ହେଲେ ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲି ଓଡ଼ିଶା ହେଡ୍‌ । ଓଡ଼ିଶା ହେଡ୍‌ ବିକ୍ରମଜିତ୍ ଭୌମିକଙ୍କୁ କୋଲକାତା ମେଦିନାପୁରରୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା । ଗିରଫ କରିବା ପରେ ତାଙ୍କୁ ବାଲେଶ୍ୱର ଓପିଆଇଡି କୋର୍ଟରେ ହାଜର କରିଛି ଇଓଡବ୍ଲୁ । ବିକ୍ରମଜିତ୍‌ଙ୍କୁ ୧୪ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଯାଇଛି। ଜମାକାରୀଙ୍କୁ ଅଧିକ ଲାଭ ଦେବାର ଲୋଭ ଦେଖାଇ 6 କୋଟିରୁ ଅଧିକ ଟଙ୍କା ଠକିଥିବା ନେଇ ଇଓଡବ୍ଲ୍ୟୁରେ ଅଭିଯୋଗ ହୋଇଥିଲା । ବିକ୍ରମଜିତ୍ ୨୦୧୩ ମସିହାରୁ ଫେରାର ଥିଲେ । ସୋର ଓ ବାଲେଶ୍ୱରରେ ଖୋଲିଥିବା ଶାଖା କାର୍ଯ୍ୟାଳୟ ଦ୍ୱାରା କୋଟି କୋଟି ଠକେଇ କରିଥିବା ଅଭିଯୋଗ ହୋଇଥିଲା । ପୂର୍ବରୁ ରୋଜ୍ ଭ୍ୟାଲି ଚିଟଫଣ୍ଡ ସଂସ୍ଥାର ଅଧ୍ୟକ୍ଷ ଗୌତମ କୁଣ୍ଡୁ ଓ ପରିଚାଳନା ନିର୍ଦେଶକ ଶିବମୟ ଦତ୍ତଙ୍କୁ ଗିରଫ କରଯାଇଥିଲା । ସୋର ଶାଖାର ମ୍ୟାନେଜର ବାଦଲ ଚନ୍ଦ୍ର କର ମଧ୍ୟ ଗିରଫ ହୋଇ ଜେଲରେ ଅଛନ୍ତି । ମାମଲାରେ ୮୩ କୋଟି ଟଙ୍କା ଓ ୧୧କୋଟିର ସ୍ଥାବର ଓ ଅସ୍ଥାବର ସଂପତ୍ତି ଜବତ କରାଯାଇଛି । ସେହିପରି ସଂସ୍ଥା ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ପତ୍ନୀ ଶୁଭ୍ରା କୁଣ୍ଡୁଙ୍କୁ ମଧ୍ୟ ଗିରଫ କରିଥିଲା ଇଡି । ତେବେ ରୋଜଭ୍ୟାଲି ଗ୍ରୁପ ସାରା ଦେଶରୁ ୧୨ ହଜାର କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ସିବିଆଇ କହିଛି ।

ଏଥିସହିତ ପଢ଼ନ୍ତୁ: ଚତୁର୍ଥୀ ରାତିର ଭିଡିଓ ଭାଇରଲ କରୁଛନ୍ତି ସ୍ୱାମୀ: ଦେଖନ୍ତୁ କ’ଣ କହୁଛନ୍ତି ପୀଡ଼ିତା

 

Leave a Reply