ରାଉରକେଲାରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା, ବିଚ ବଜାରରେ ବ୍ୟବସାୟୀଙ୍କୁ ହତ୍ୟା

ରାଉରକେଲା : ରାଉରକେଲାରେ ବିପର୍ଯ୍ୟସ୍ତ ହୋଇପଡିଛି ଆଇନଶୃଙ୍ଖଳା । ଆଇନକୁ ଭୟ ନକରି ମାତିଛନ୍ତି ଅପରାଧୀ । ଗତକାଲି ରାତିରେ ବିଚ ବଜାରରେ ସ୍କ୍ରାପ ବ୍ୟବସାୟୀଙ୍କୁ ପିଟିପଟି ମାରିଦେଲେ ଅଭିଯୁକ୍ତ । ଘଟଣାରେ ଜଣକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ଆମ୍ଵାଗାନ ମାର୍କେଟ ନିକଟରେ ଘଟିଛି ଏହି ହତ୍ୟାକାଣ୍ଡ । ବିବେକାନନ୍ଦ ପାଲ୍ଲି ବସ୍ତିରେ ରହୁଥିବା ସ୍କ୍ରାପ ବ୍ୟବସାୟୀ ଏସ କେ ଲାଲଟୁଙ୍କୁ ଗତକାଲି ରାତିରେ ହତ୍ୟା କରାଯାଇଛି । ମଦ ଓ ଗଞ୍ଜେଇ ନିଶାରେ ଥିବା କିଛି ଯୁବକଙ୍କ ମଧ୍ୟରେ ବଚଷା ଓ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଏସ କେ ଲାଲଟୁ ଗଣ୍ଡଗୋଳ ଛଡ଼ାଇବାକୁ ଆସିଥିବା ବେଳେ ତାଙ୍କୁ ଲାଠିରେ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ଦାବି ହୋଇଛି।
ହତ୍ୟାକାଣ୍ଡକୁ ନେଇ ସେକ୍ଟର ୧୯ ଥାନାରେ ଅଭିଯୋଗ ହେବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ମୁଖ୍ୟ ଅଭିଯୁକ୍ତକୁ ସେକ୍ଟର ୧୯ ଥାନା ପୋଲିସ ଗିରଫ କରିଛି । ଏହାସହ ଆଉ ଏକ ମାମଲାରେ ଗଣ୍ଡଗୋଳ କରିଥିବା ଅଭିଯୋଗରେ ଦୁଇଜଣ ଯୁବକଙ୍କୁ ଗିରଫ କରାଯାଇଛି। ଆକ୍ରମଣ ଓ ଗଣ୍ଡଗୋଳ ସମୟରେ ତିନୋଟି ଅଟୋ ଭଙ୍ଗାରୁଜା ହୋଇଥିବା ମଧ୍ୟ ଜଣାପଡିଛି । ହତ୍ୟା ଘଟଣାରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ନାହିଁ ସେନେଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।