ରାଉରକେଲା : ରକ୍ତରଞ୍ଜିତ ହେଲା ରଙ୍ଗର ପର୍ବ । ହୋଲିରେ ବସ୍ତିରେ ଗୋଷ୍ଠୀ ସଂଘର୍ଷ । ରାଉରକେଲା ସେକ୍ଟର ୬ ଅଞ୍ଚଳରେ ଉତ୍ତେଜନା । ବିଧାୟକଙ୍କ ଘର ଆଗରେ ବସ୍ତି ବାସିନ୍ଦାଙ୍କ ଆନ୍ଦୋଳନ। ଅଞ୍ଚଳରେ ବ୍ଯାପକ ପୋଲିସ୍ ମୁତୟନ । ହୋଲିର ପର୍ବ ପାଇଁ ସବୁଠି ଉତ୍ସାହ ଥିବାବେଳେ ରାଉରକେଲା ସେକ୍ଟର ୬ ଅଞ୍ଚଳରେ ଦେଖାଦେଇଥିଲା ଉତ୍ତେଜନା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜାମଟୋଲି ବସ୍ତି ଓ ମହିମା ବସ୍ତିରେ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଢେଲା ପଥର ମାଡ଼ରେ ଉଭୟ ଗୋଷ୍ଠୀର ୧୨ରୁ ଅଧିକ ଗୁରୁତର ହୋଇଥିବାବେଳେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି । ଦୁଇଟି ବାଇକ, ଦୁଇଟି କାର ଓ ଦୁଇଟି ଭ୍ୟାନ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି । ଅଞ୍ଚଳରେ ଉତ୍ତେଜନା ଥିବାରୁ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ଦିନରେ ହୋଲି ଖେଳିବାବେଳେ ସାମାନ୍ୟ ବଚସା ହୋଇଥିଲା । ତେବେ ଏହା ଉଗ୍ରରୂପ ନେବା ପରେ ରାତିରେ ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ରଘୁନାଥପାଲ୍ଲି ବିଜେପି ବିଧାୟକଙ୍କ ସମର୍ଥକମାନେ ଗଣ୍ଡଗୋଳ କରିଥିବା ବସ୍ତି ବାସିନ୍ଦା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ସେକ୍ଟର ଉଦିତନଗର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ରେ ଜଣେ ଶିଶୁକନ୍ୟା ଗୁରୁତର ଆହତ ହୋଇଥିବାରୁ ଅଧିକ ଚିକିତ୍ସା ପାଇଁ ବୁର୍ଲା ପଠାଯାଇଛି । ପ୍ରତିବାଦରେ ବିଧାୟକଙ୍କ ଘର ଆଗରେ ଆନ୍ଦୋଳନ କରିଛନ୍ତି ବସ୍ତି ବାସିନ୍ଦା । ଆକ୍ରମଣ ଓ ଗଣ୍ଡଗୋଳକାରିଙ୍କୁ ଗିରଫ କରିବା ପାଇଁ ବସ୍ତି ବାସିନ୍ଦା ଏସପିଙ୍କ ନିକଟରେ ଦାବି କରିଛନ୍ତି ।

