ଲଗାତର ୪ଥର ହାରିଲାଣି ୫ଥରର ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ

ନୂଆଦିଲ୍ଲୀ: କାମ ଦେଉନି ମୁମ୍ବାଇ ଇଣ୍ଡିଆନ୍ସର ଯୋଜନା । ପରାଜୟ ପରେ ପରାଜୟର ସମ୍ମୁଖିନ ହେଉଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ । ବାଙ୍ଗାଲୁରୁର ପ୍ରଦର୍ଶନ ଆଗରେ ମାଟି କାମୁଡ଼ିଛନ୍ତି ୫ ଥରର ଚାମ୍ପିଅନ ମୁମ୍ବାଇ । ପ୍ରଥମେ ବାଟିଂ କରି ଯେଉଁ ଟାର୍ଗେଟ ମୁମ୍ବାଇ ଇଣ୍ଡିଆନସ ଦେଇଥିଲା ସେଥିରେ ଅତି ସହଜରେ ବିଜୟ ହୋଇଛନ୍ତି ବିରାଟଙ୍କ ବିରାଟ ଦଳ । ଅନୁଜ ରାଓ୍ଵତ ଏବଂ ବିରାଟ କୋହଲିଙ୍କ ଦମଦାର ବ୍ୟାଟିଂ ବଳରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଚଳିତ ଆଇପିଏଲର ୧୮ତମ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି । ମୁମ୍ବାଇ ଇଣ୍ଡିଆନ୍ସକୁ ୭ ଓ୍ଵିକେଟରେ ହରାଇ ବେଙ୍ଗାଲୁରୁ ଚାରୋଟି ମ୍ୟାଚ୍‌ରୁ ତିନୋଟି ବିଜୟ ହାସଲ କରିଛି ।

ଅନ୍ୟପଟେ ୫ ଥରର ଚାମ୍ପିଅନ ମୁମ୍ବାଇର ଚଳିତ ଆଇପିଏଲରେ ନୈରାଶ୍ୟଜକ ପ୍ରଦର୍ଶନ ଜାରି ରଖି କ୍ରମାଗତ ଚତୁର୍ଥ ପରାଜୟର ସମ୍ମୁଖିନ ହୋଇଛି । ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ୬୮ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୫୧ ରନ କରିଥିଲା । ଜବାବରେ ବେଙ୍ଗାଲୁରୁ ଅଞ୍ଜୁ ରାଓ୍ଵତଙ୍କ ୬୬ ରନ ଏବଂ ବିରାଟ କୋହଲିଙ୍କ ୪୮ ରନ ବଳରେ ୧୮.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ।

୧୫୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ବେଙ୍ଗାଲୁରୁ ସହଜରେ ଲକ୍ଷ ସ୍ଥଳରେ ପହଞ୍ଚିଛି । ପ୍ରଥମେ ମଇଦାନକୁ ଓହ୍ଲାଇଥିବା ଡୁପ୍ଲେସିସ୍ ଏବଂ ଅନୁଜ ରାଓ୍ଵତ ଭଲ ଆରମ୍ଭ ଦେଇଥିଲେ । ଉଭୟ ବ୍ୟାଟସମ୍ୟାନ ପ୍ରଥମ ଓ୍ଵିକେଟରେ ୫୦ ରନ ଯୋଡିଥିଲେ। ଯଦିଓ ଡୁପ୍ଲେସିସ୍ ୧୬ ରନ କରି ଆଉଟ୍ ହୋଇଥିଲେ ଅନୁଜ ରାଓ୍ଵତ ଏବଂ ବିରାଟ କୋହଲି ଦମଦାର ବ୍ୟାଟିଂ କରି ଦଳକୁ ବିଜୟ ଆଡ଼କୁ ନେଇଯାଇଥିଲେ । ରାଓ୍ୱତ ୬୬ ରନ କରି ପାଭିଲିୟନ ଫେରିଥିବା ବେଳେ ବିରାଟ କୋହଲି ୪୮ ରନ କରିଥିଲେ । ବେଙ୍ଗାଲୁରୁ ୧୮.୩ ଓଭରରେ ୩ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି।