ସାଲେପୁର ହରେକୃଷ୍ଣ ପୃଷ୍ଟି ହତ୍ୟାକାଣ୍ଡ ଘଟଣାରୁ ଉଠିଲା ପରଦା

କଟକ : କଟକ ଜିଲ୍ଲା ସାଲେପୁର ହରେକୃଷ୍ଣ ପୃଷ୍ଟି ହତ୍ୟାକାଣ୍ଡ ଘଟଣାରୁ ଉଠିଲା ପରଦା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି 4 ଜଣ ସାଙ୍ଗଙ୍କ ସହ ମିଶି ନିଜ ଦାଦାକୁ ହତ୍ୟା କରିବା ସହ ଖୁଡ଼ିଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲା ପୁତୁରା । ଗତ 5 ତାରିଖ ଦିନ ସକାଳେ କୁଳିଆ ଠାରେ ନିଜ ଜଳଖିଆ ଦୋକାନରୁ ହରେକୃଷ୍ଣଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସହ ତାଙ୍କ ପତ୍ନୀ ଅନ୍ନପୂର୍ଣ୍ଣାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା ସାଲେପୁର ପୋଲିସ । ତାଙ୍କୁ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା । ପୂର୍ବଦିନ ରାତିରେ ପୁତୁରା ଭରତ ପୃଷ୍ଟି ନିଜର 4 ଜଣ ସାଙ୍ଗ ଦୀପକ କୁମାର ବେହେରା, ରବୀନ୍ଦ୍ର ସାହୁ, ଲକ୍ଷ୍ମୀଧର ସାହୁ, ବୀରକିଶୋର ସାହୁଙ୍କ ସହ ଭୋଜି କରିଥିଲା ।

ସେଠାରେ ଦାଦାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲା । ଯୋଜନା ମୁତାବକ ଦାଦା ଖୁଡି ଉଭୟ ରାତିରେ ଶୋଇଥିବା ବେଳେ ଦୁଇଟି ଟାଙ୍ଗିଆରେ ଭରତ ଓ ତାର ସାଙ୍ଗମାନେ ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ଘଟଣାରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବ ଦୁଇଟି ଟାଙ୍ଗିଆ ଜବତ କରାଯାଥିବା ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଟକ ଗ୍ରାମାଞ୍ଚଳ ଅତିରିକ୍ତ ଏସପି ।