ଅବହେଳିତ ଅବସ୍ଥାରେ ସର୍ବପୁରାତନ ଅନନ୍ତେଶ୍ଵର ଶୈବ ପୀଠ, ରକ୍ଷଣାବେକ୍ଷଣ ଅଭାବରୁ ହରାଇଲାଣି ଅସ୍ତିତ୍ଵ

ସାଲେପୁର : ଅବହେଳିତ ଅବସ୍ଥାରେ ହଜାର ବର୍ଷର ପୁରୁଣା ଶୈବପୀଠ । ରକ୍ଷଣାବେକ୍ଷଣ ଅଭାବରୁ ହରାଇଲାଣି ଅସ୍ତିତ୍ଵ । ପ୍ରତ୍ନତତ୍ତ୍ୱ ବିଭାଗର ଉଦାସୀନତାରୁ ମନ୍ଦିରରେ ବିକାଶ ମୂଳକ କାମ ଠପ୍ । କଟକ ଜିଲ୍ଲା ଭଗବାନପୁର ଗାଁରେ ଥିବା ପ୍ରସିଦ୍ଧ ଅନନ୍ତେଶ୍ଵର ପୀଠରେ ହଜାର ହଜାର ଭକ୍ତଙ୍କ ଭିଡ ଲାଗେ । ହେଲେ ପୀଠରେ ସୁବିଧା ନଥିବା କାରଣରୁ ପୂର୍ବ ସରକାର ଅମଳରେ ମନ୍ଦିର ଉନ୍ନତିକରଣ ଦାୟିତ୍ଵ ଏଏସଆଇ ନେଇଥିଲା । ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା । ରାସ୍ତାଠୁ ଆରମ୍ଭ କରି ଶୌଚାଳୟ, ଆନନ୍ଦ ଭବନ, ପର୍ଯ୍ୟଟକଙ୍କ ପାଇଁ ବିଶ୍ରାମସ୍ଥଳୀ ଭଳି ଅନେକ ସୁବିଧା ହୋଇଥାନ୍ତା । ହେଲେ ଖାଲି ପାଚେରୀ ଉଠାଇ କାମ ବନ୍ଦ କରିଦିଆଯାଇଛି । ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଭଗବାନପୁର ଗାଁରେ କେଉଁ ଆବାହନ କାଳରୁ ପୂଜା ପାଇ ଆସୁଛନ୍ତି ପ୍ରଭୁ ଅନନ୍ତେଶ୍ବର । ଏହି ପୀଠର ରହିଛି ଅନେକ କିମ୍ବଦନ୍ତୀ । କିନ୍ତୁ ପରିତାପର ବିଷୟ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ତୁରନ୍ତ ମନ୍ଦିରର ଉନ୍ନତି କରିବାକୁ ପ୍ରତ୍ନତତ୍ତ୍ବ ବିଭାଗ ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଅଞ୍ଚଳବାସୀ । ଅନନ୍ତେଶ୍ବର ମନ୍ଦିରର ଶୀଘ୍ର ଉନ୍ନତିକରଣ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି ।