ସୁଧୁରୁଛି ବନ୍ୟା ସ୍ଥିତି, କମୁଛି ହୀରାକୁଦ ଜଳସ୍ତର..

ସମ୍ବଲପୁର: ଅଧା ରାଜ୍ୟ ଏବେ ବନ୍ୟା ଜଳରେ ଉବୁଟୁବୁ । ଚାରିଆଡ଼େ ଖାଲି ପାଣି ହିଁ ପାଣି । ଅନେକ ଗାଁ ଏବେ ବି ଜଳବନ୍ଦୀରେ । ତେବେ ଏହାରି ଭିତରେ ଏବେ ମହାନଦୀ ଦୁର୍ବଳ ହେଉଥିବା ନେଇ ସୂଚନା ମିଳିଛି । କାରଣ ପୂର୍ବାପେକ୍ଷା ଏବେ ହିରାକୁଦ ଜଳଭଣ୍ଡାରକୁ ବନ୍ୟା ଜଳପ୍ରବେଶର ପରିମାଣ କମ୍‌ ରହିଛି । ଏବେ ସୁଦ୍ଧା ୩୨ଟି ସ୍ଲୁଇସ୍‌ଗେଟ୍‌ ଦେଇ ହିରାକୁଦରୁ ବନ୍ୟା ଜଳ ନିଷ୍କାସିତ ହେଉଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ଥର ବିପଦ ସଂକେତ ୬୩୦ ଫୁଟ ଥିବା ବେଳେ ଏବେ ୬୨୬ ଫୁଟରେ ରହିଛି ଜଳସ୍ତର । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩ଲକ୍ଷ ୮୦ହଜାର ୭୬୪ କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ୫ଲକ୍ଷ ୩୩ହଜାର ୨୩୪ କ୍ୟୁସେକ୍‌ ବନ୍ୟାଜଳ ନିଷ୍କାସିତ ହେଉଛି । ବାମପାର୍ଶ୍ୱରୁ ୨୩ ଓ ଦକ୍ଷିଣପାର୍ଶ୍ୱରୁ ୯ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ସୋମାବାର ୪୬ଟି ଗେଟ୍‌ ଦେଇ ଜଳ ନିଷ୍କାସିତ ହେଉଥିଲା ।

ସେପଟେ କଟକ ମୁଣ୍ଡଳିରେ ମଧ୍ୟ ବନ୍ୟା ଜଳ ପ୍ରବାହ ସାମାନ୍ୟ କମିଛି । ଏବେ ମୁଣ୍ଡୁଳିରେ ୧୦ ଲକ୍ଷ ୨ ହଜାର ୮୨୩ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ସେହିପରି ନରାଜଠାରେ କାଠଯୋଡି ନଦୀରେ ବନ୍ୟାଜଳ ପ୍ରବାହ ମଧ୍ୟ କମିଛି । ଏଠାରେ ଏବେ ୫ ଲକ୍ଷ ୬୭୧ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି । ଉଭୟ ସ୍ଥାନରେ ଜଳସ୍ତର ବିପଦ ସଂକେତ ତଳେ ରହିଥିବା ଦେଖାଯାଇଛି ।

Leave a Reply