ସାରୁଅ ଜମି କେଳେଙ୍କାରୀ: ମୋଦି-ଶାହଙ୍କୁ ଟ୍ୱିଟ୍‌ କରି ବୈଜୟନ୍ତଙ୍କ ଉପରେ ବର୍ଷିଲେ ସାଂସଦ ସସ୍ମିତ ପାତ୍ର

1 min read
Sasmit Patra Tweet

ଖୋର୍ଦ୍ଧା: ସାରୁଅ ଜମି ଜାଲିଆତି ମାମଲା । ଠିକା କର୍ମଚାରୀଙ୍କୁ ବହିଷ୍କାର ବିରୋଧରେ ଆଜି ୪ର୍ଥ ଦିନରେ ସାରୁଅ ସ୍ଥିତ ଓଟିଭି ୟୁନିଟ ଅଫିସ୍‌ ଗେଟ ଆଗରେ ଧାରଣା ଜାରି ରହିଛି । ସେପଟେ ଏହି ମାମଲାରେ ପ୍ରଧାନମନ୍ତ୍ରୀ ଅଫିସକୁ ଟ୍ୱିଟ କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର ।

ଏଥିରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ସ୍ୱାମୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ବର୍ଷିଛନ୍ତି ସସ୍ମିତ । ସେ କହିଛନ୍ତି, ଓଡ଼ିଶା ଲ୍ୟାଣ୍ଡ ରାଇଟ ଆକ୍ଟ ଅନୁସାରେ ରାଜ୍ୟରେ ଦଳିତଙ୍କ ଜମି କିଣାଯାଇ ପାରିବନାହିଁ । ଦଳିତଙ୍କ ମାଲିକାନାରେ ଥିବା ଜମି କିଣାଯାଇପାରିବ ନାହିଁ । ଆଇନ ଆଖିରେ ଧୂଳିଦେଇ ଜାଲିଆତି କରିଛନ୍ତି ବୈଜୟନ୍ତ ।

ଜମି କିଣିବା ପାଇଁ ଜୟ ତାଙ୍କ ଡ୍ରାଇଭରଙ୍କୁ ବ୍ୟବହାର କରିଛନ୍ତି । ଦଳିତ ଡ୍ରାଇଭରଙ୍କୁ ମୋହରା କରି ବୈଜୟନ୍ତ ଜମି କିଣିଛନ୍ତି । ଜମି କିଣି ଓଡ଼ିଶା ଇନଫ୍ରାଟେକ୍ କମ୍ପାନୀକୁ ହସ୍ତାନ୍ତର କରିଛନ୍ତି ବୋଲି ସସ୍ମିତ କହିଛନ୍ତି । ବେନାମୀ ଡିଲ୍‌ କରି ପ୍ରତିପତ୍ତିଶାଳୀ ଜୟ ପଣ୍ଡା ଦଳିତଙ୍କ ଜମି ହାତେଇଛନ୍ତି । ଦଳିତଙ୍କ ଉପରେ ଅତ୍ୟାଚାର ଆଇନ ଅନୁଯାୟୀ ଜଘନ୍ୟ ଅପରାଧ ବୋଲି ସେ ପିଏମଓ ସହ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଟ୍ୱିଟ୍‌ କରିଛନ୍ତି ସସ୍ମିତ ।

ଅନ୍ୟପଟେ ବୁଧବାର ଠିକା କର୍ମଚାରୀଙ୍କ ଆନ୍ଦୋଳନ ଚତୁର୍ଥ ଦିନରେ ପହଞ୍ଚିଥିଲେ ମଧ୍ୟ କେହି ତାଙ୍କୁ ଆଡ଼ ଆଖିରେ ଚାହୁଁନଥିବା ଅଭିଯୋଗ ହୋଇଛି । ଗତ ଚାରି ଦିନ ଧରି ଖରା ଓ ଶୀତରେ ଫାଟକ ସମ୍ମୁଖରେ ପାଲ ଟାଣି ପଡ଼ି ରହିଛନ୍ତି ପୁରୁଷ ଓ ମହିଳା କର୍ମଚାରୀ । ତେବେ ରାଷ୍ଟ୍ରୀୟ ଦଳିତ ମହାସଭାର ସଭାପତି ଅଶୋକ ମଲ୍ଲିକ ଧାରଣାସ୍ଥଳରେ ପହଞ୍ଚିଛନ୍ତି । ଅଶୋକଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ଆନ୍ଦୋଳନକାରୀ ଶ୍ରମିକଙ୍କୁ ଭେଟି ଆଲୋଚନା କରିଛି । ମହାସଭାର ଉପଦେଷ୍ଟା ରବି ସେଠୀ ଓ ଅମୀୟ ସେଠୀ ମଧ୍ୟ ଆଲୋଚନା କରିଛନ୍ତି । ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କରିଛି ରାଷ୍ଟ୍ରୀୟ ଦଳିତ ମହାସଭା । ଏହାସହ ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଦଳିତ ମହାସଂଘ ସାରୁଅ ଠିକା ଶ୍ରମିକଙ୍କ ଦାବିକୁ ନେଇ ରାଜରାସ୍ତାକୁ ଓହ୍ଲାଇବା ପାଇଁ ଚେତାବନୀ ଦେଇଛି ।

ଏହାସହ ସେ ଜଗି ପଣ୍ଡା ଓ ଓଡ଼ିଶା ଇନଫ୍ରାଟେକର କାର୍ଯ୍ୟକଳାପକୁ ନିନ୍ଦା କରିଛନ୍ତି । ଚଞ୍ଚକତା କରି ଓଡ଼ିଶା ଇନଫ୍ରାଟେକର ଜଗି ପଣ୍ଡା ଜମି ହଡ଼ପ କରିଛନ୍ତି । ରାଜନୀତିରେ ଥିବା ଲୋକଙ୍କ ଏଭଳି କାର୍ଯ୍ୟକଳାପ ନିନ୍ଦନୀୟ । ଦଳିତଙ୍କ ଜମି ହଡ଼ପ କରିଥିବା ଲୋକଙ୍କୁ ଗିରଫ କରାଯାଉ । ଠିକା କର୍ମଚାରୀଙ୍କ ତୁରନ୍ତ ବକେୟା ଟଙ୍କା ପ୍ରଦାନ କରାଯାଉ । ଅନ୍ୟପଟେ ଆନ୍ଦୋଳନକାରୀଙ୍କ ଅଭିଯୋଗ ହେଲା ଯେ, ଏମାନଙ୍କଠୁ ଓଟିଭି କର୍ତ୍ତୃପକ୍ଷ ଶାଗ ମାଛ ଦରରେ ଜମି ହଡ଼ପ କରି ଲୋଭନୀୟ ଅଫର ଦେଇଥିଲେ । କଥା ଦେଇଥିଲେ ଚାକିରି ମିଳିବ । ହେଲେ ୫-୬ ବର୍ଷ ଧରି ଠିକା ଶ୍ରମିକ ଭାବେ କାମ କରାଇବା ପରେ ସେମାନଙ୍କୁ ବାହାର କରିଦେଇଛନ୍ତି ଓଟିଭି ମାଲିକାଣୀ ଜଗିମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇ ।

Leave a Reply