ଶଶୀ ଥରୁର୍‌ଙ୍କୁ ଗ୍ରୀନ୍ ସିଗନାଲ, ସମ୍ଭାଳିବେ ଏଆଇସିସି ସଭାପତି ପଦ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ହୋଇପାରନ୍ତି ପରବର୍ତ୍ତୀ ଏଆଇସିସି ସଭାପତି । ଏଆଇସିସି ସଭାନେତ୍ରୀ ସୋନିଆ ଗାନ୍ଧି ଏନେଇ ଗ୍ରୀନ ସିଗନାଲ ଦେଇଥିବା ସୂଚନା ମିଳିଛି । ଦଳରେ ବ୍ୟାପକ ପରିବର୍ତ୍ତନ ଲାଗି ଦୀର୍ଘ ଦିନ ଧରି ଶଶୀ ଥରୁର ଦାବି କରିଆସୁଥିଲେ । ଆସନ୍ତା ମାସ ୧୭ ତାରିଖରେ କଂଗ୍ରେସର ସଭାପତି ନିର୍ବାଚନ ହେବାକୁ ଯାଉଥିବାବେଳେ ଶଶୀଙ୍କ ଲାଗି ସୋନିଆ ଗ୍ରୀନ୍‌ ସିଗନାଲ ଦେଇଥିବା ଗୁରୁତ୍ବପୂର୍ଣ୍ଣ ସୂଚନା ମିଳିଛି ।

ବିଦେଶରୁ ମେଡିକାଲ ଚେକ୍‌ ଅପ ସାରି ସୋନିଆ ଫେରିବା ପରେ ଶଶୀଙ୍କ ସମେତ କେତେକ କଂଗ୍ରେସ ନେତା ତାଙ୍କୁ ସାକ୍ଷାତ କରିଥିଲେ । ସାକ୍ଷାତ ବେଳେ ଶଶୀଙ୍କୁ ପରବର୍ତ୍ତୀ ଏଆଇସିସି ସଭାପତି କରିବା ଲାଗି ସୋନିଆ କୁଆଡ଼େ ଗ୍ରୀନ ସିଗନାଲ ଦେଇଥିବା କୁହାଯାଇଛି ।

ଆସନ୍ତା ମାସରେ ସଭାପତି ପଦ ଲାଗି ନିର୍ବାଚନ ହେବାକୁ ଯାଉଥିବାବେଳେ ଶଶୀଙ୍କ ଲାଗି ଗ୍ରୀନ୍‌ ସିଗନାଲ ଗୁରୁତ୍ବପୂର୍ଣ୍ଣ ହୋଇଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ବ୍ୟାପକ ବିପର୍ଯ୍ୟୟ ହେବା ପରେ ସଭାପତି ପଦରୁ ଇସ୍ତଫା ଦେଇଥିଲେ ରାହୁଲ ଗାନ୍ଧୀ । ପରେ ସୋନିଆ ଗାନ୍ଧୀ ଅନ୍ତରୀଣ ସଭାନେତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି ।