ଭୁବନେଶ୍ୱର: ପୃଥିବୀର ନିକଟତର ହେବ ଶନି  । ସୋମବାର ଘଟିବାକୁ ଯାଉଛି ଏଭଳି ମହାଜାଗତିକ ଘଟଣା  ।  ଆଜିକାଲି ଆକାଶରେ ଶନି ଗ୍ରହ  ଆକର୍ଷଣୀୟ ଭାବରେ ଦୃଶ୍ୟମାନ ହେଉଛି  । ଶନି ଏବଂ ପୃଥିବୀ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଘୂରି ବୁଲିବା ସମୟରେ ଅଗଷ୍ଟ ୨ ତାରିଖ ଅର୍ଥାତ ସୋମବାର ଦିନ ପରସ୍ପର ସହ ସବୁଠାରୁ  ନିକଟତର ହେବେ । ଶନି ଗ୍ରହ ପୃଥିବୀର ଅତି ନିକଟତର ହେଉଥିବାରୁ ଆଜିକାଲି ଏହା ବହୁତ ଉଜ୍ଜ୍ୱଳ ଦେଖାଯାଉଛି  । ଶନି ଏବଂ ବୃହଷ୍ପତି ଗ୍ରହ ଦୁଇଟି ରାତିସାରା ବହୁତ ଉଜ୍ଜ୍ୱଳ ଦେଖାଯାଉଥିବା ପରିଲିଖିତ ହେଉଛି  ।

ପୃଥିବୀଠାରୁ ଶନିର ଦୂରତା କ୍ରମାଗତ ଭାବରେ ବଦଳିଥାଏ ଯେହେତୁ ଦୁଇଟି ଗ୍ରହ କ୍ରମାଗତ ଭାବରେ ବିଭିନ୍ନ ଗତିରେ ସୂର୍ଯ୍ୟ ଚାରିପଟେ ସେମାନଙ୍କର କକ୍ଷପଥରେ ଯାତ୍ରା କରନ୍ତି  । ପୃଥିବୀ ସୂର୍ଯ୍ୟ ଚାରିପଟେ ଥରେ ଘୁରିବାକୁ ୩୬୫ ଦିନ ବା ଏକ ବର୍ଷ ସମୟ ନେଉଥିଲା ବେଳେ ଶନି ସୂର୍ଯ୍ୟ ଚାରିପଟେ ଥରେ ଘୁରିବାକୁ ପୃଥିବୀର ୨୯.୫ ବର୍ଷ ସମୟ ନିଏ । ତେଣୁ ପ୍ରତି ଏକ ବର୍ଷଏବଂ ୧୩ ଦିନରେ ଶନି ଏବଂ ପୃଥିବୀ ନିକଟତର ହୋଇଥାନ୍ତି ଓ ଗ୍ରହ ଦୁଇଟି  ସୂର୍ଯ୍ୟର ଗୋଟିଏ ପଟରେ ରୁହନ୍ତି । ପୃଥିବୀ ଶନି ଓ ସୂର୍ଯ୍ୟର ମଝିରେ ରହିଥାଏ । ଏହାକୁ ଇଂରାଜୀରେ ‘ଅପୋଜିସନ୍‌’ କୁହାଯାଏ ।

ସେସମୟରେ ପୃଥିବୀ ଓ ଶନିର ହାରାହାରି ଦୂରତା ୧୨୦ କୋଟି କିମି ରହିବ ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୮ ଗୁଣ ଅଧିକ ଅଟେ । ଏହି ବର୍ଷ ଏହା ଅଗଷ୍ଟ ୨ ତାରିଖ ଭାରତୀୟ ସମୟ ଦିନ ୧୧:୩୦ ରେ ଘଟିବ । ଅନ୍ୟ ପକ୍ଷରେ ଆଉ ଛ ମାସ ପରେ ପୃଥିବୀ ସୂର୍ଯ୍ୟର ପଛପାଖକୁ ଚାଲିଗଲେ ପୃଥିବୀ ଓ ଶନିର ସର୍ବାଧିକ  ଦୂରତା ୧୭୦ କୋଟି କିମି  ହେବ ଯାହା ସୂର୍ଯ୍ୟ ଠାରୁ ପୃଥିବୀ ଦୂରତାର ପ୍ରାୟ ୧୧ ଗୁଣ ଅଧିକ ।  ଗତ ୨୦୨୦ ମସିହା ଜୁଲାଇ ୨୦ରେ ଶନି ପୃଥିବୀର ନିକଟତର ହୋଇଥିଲା ଓ ଆଗାମୀ ୨୦୨୨ ମସିହା ଅଗଷ୍ଟ ୧୪ ତାରିଖରେ ଏପରି ଘଟିବ ।

ଅଗଷ୍ଟ ୨ ତାରିଖ ଦିନ ସୂର୍ଯ୍ୟଅସ୍ତ ହେବା ସହ ଶନି ଗ୍ରହ ପୂର୍ବ ଦିଗବଳୟରେ ଉଦୟ ହୋଇ ଧିରେଧିରେ ପଶ୍ଚିମ ଦିଗକୁ ଗତିକରି  ୧୨ ଘଣ୍ଟା ପରେ ଅର୍ଥାତ୍‌ ଭୋର ସମୟରେ ଅସ୍ତ ହେବ । ମେଘ ମୁକ୍ତ ପରିଷ୍କାର ଆକାଶରେ ଅଗଷ୍ଟ ମାସ ପ୍ରତି ରାତିରେ ସଂଧ୍ୟା ଠାରୁ ସକାଳ ଯାଏ ଶନି ସହ ବୃହଷ୍ପତି ଖାଲି ଆଖିରେ ଦେଖାଯିବ । ଶନି ପୃଥିବୀର ଅତି ନିକଟତର ହୋଇଥିବାରୁ ଖାଲି ଆଖିରେ ସାଧାରଣ ଦିନ ତୁଳନାରେ  ଅଧିକ ଉଜ୍ଜଳ ଦେଖାଯିବା ସହ ଏହାର ବଳୟ ଏବଂ ଉପଗ୍ରହ ସାଧାରଣ ଦୂରବୀକ୍ଷଣ ଦ୍ୱାରା ସୁନ୍ଦର ଦେଖାଯାଉଛି ।

Leave a Reply