ନନ୍ଦିଘୋଷ ବ୍ୟୁରୋ : ବୁଲା କୁକୁର କାମୁଡ଼ି ଓ ଦୁର୍ଘଟଣାରେ ଯାଉଛି ଜୀବନ। ଲୋକେ ହେଉଛନ୍ତି ଅକର୍ମଣ୍ଯ। ଏଣିକି କୁକୁର କାମୁଡ଼ି କୌଣସି ପିଲା, ବୟସ୍କ ବ୍ଯକ୍ତିଙ୍କର ପ୍ରାଣହାନୀ କିମ୍ବା ଗୁରୁତର ଆହତ ହେଲେ ତଣ୍ଡ ଗଣିବେ ସରକାର। ଗତ ସପ୍ତାହରେ ୩ ଦିନ ଧରି କୁକୁର ନିୟନ୍ତ୍ରଣ ମାମଲାରେ ଶୁଣାଣି କରିବା ପରେ ଆଜି ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ଏପରି ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦିପ ମେହେଟ୍ଟା ଓ ଜଷ୍ଟିସ ଏନ. ଭି. ଅଞ୍ଜାରିଆଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏଣିକି କୁକୁର କାମୁଡ଼ା ପାଇଁ ଦାୟୀ ରହିବେ ପ୍ରାଣୀ ପ୍ରେମୀ ଓ ସେମାନଙ୍କୁ ଖାଇବାକୁ ଦେଉଥିବା ସଂସ୍ଥା। ଆନିମଲ ବାର୍ଥ କଣ୍ଟ୍ରୋଲ ଅଧିନିୟମ ୨୦୨୩ ପୂର୍ବରୁ ପ୍ରଚଳିତ ଅଛି। ଏହି ବ୍ଯବସ୍ଥା ଅନୁୟାଯୀ କୁକୁରମାନଙ୍କ ବନ୍ଧ୍ଯାକରଣ କରାଯିବ। ବୁଲୁ କୁକୁରମାନେ ହସ୍ପିଟାଲ, ସ୍କୁର ପରିସର, ଶିକ୍ଷାନୁଷ୍ଠାନ କ୍ଯାମ୍ପସ, ସରକାରୀ ଦପ୍ତର, ରେଳଷ୍ଟେସନ ଓ ବସ ଷ୍ଟାଣ୍ଡରେ ଦେଖାଦେଲେ ସମ୍ପୃକ୍ତ ଅଞ୍ଚଳର ସ୍ଥାନୀୟ ପ୍ରଶାସନ, ମହାନଗର ନିଗମ ଦାୟୀ ରହିବେ। ସର୍ବସାଧାରଣ ସ୍ଥାନରୁ କୁକୁରମାନଙ୍କୁ ଧରି ବନ୍ଧ୍ଯାକରଣ କରିବାକୁ ଗତବର୍ଷ ନଭେମ୍ବର ୭ ତାରିଖରେ ସୁପ୍ରିମକୋର୍ଟର ସବୁ ରାଜ୍ଯ ସରକାର ଓ ସ୍ଥାନୀୟ ପ୍ରଶାସନକୁ ଅନ୍ତରୀଣ ଆଦେଶ ଦେଇଥିଲେ। କିନ୍ତୁ କୋର୍ଟଙ୍କ ଆଦେଶ ଏ ପର୍ଯ୍ଯନ୍ତ କାହିଁକି କାର୍ଯ୍ଯାକାରୀ ହୋଇନି ସେ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଖଣ୍ଡପୀଠ। ଗତବର୍ଷ ସୁପ୍ରିମକୋର୍ଟ ରାୟ ଆସିବା ପରେ ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଓ ପ୍ରାଣୀ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟଙ୍କ ରାୟର ପୁନର୍ବିଚାର କରିବାକୁ ଏକାଧିକ ଆବେଦନ ଦାୟର ହୋଇଥିଲା। ଯାହାର ଶୁଣାଣି କରି କୋର୍ଟ କହିଥିଲେ ଯେଉଁ ସ୍ଥାନରୁ ବୁଲା କୁକୁର ଧରାଯିବ ସେସବୁ କୁକୁରଙ୍କ ବନ୍ଧ୍ଯାକରଣ ପରେ ଆଉ ସେହି ସ୍ଥାନରେ ଛଡ଼ାଯିବ ନାହିଁ। କୁକୁର କାମୁଡ଼ାରେ କୌଣସି ବ୍ଯକ୍ତିଙ୍କ ମୃତ୍ଯୁ ହେଲେ ସମ୍ପୃକ୍ତ ରାଜ୍ଯ ସରକାର ସମ୍ପୂର୍ଣ୍ଣ କ୍ଷତିପୂରଣ ପ୍ରଦାନ କରିବେ। ଶୁଣାଣି ସମୟରେ ଆଜି କୋର୍ଟ ପ୍ରଶ୍ମ କରିଛନ୍ତି କୁକୁର କାମୁଡ଼ାରେ ଜଣେ ୯ ବର୍ଷର ପିଲାର ପ୍ରାଣହାନୀ ଘଟିଲା। ସେଥିପାଇଁ କିଏ ଦାୟୀ ? ଏପରିକି ଗତ ୫ ବର୍ଷ ଭିତରେ କୁକୁର କାମୁଡ଼ାରେ ମୃତ, ଆହତ ବ୍ଯକ୍ତିଙ୍କୁ ସମ୍ପୃକ୍ତ ରାଜ୍ଯ ସରକାରମାନେ କ୍ଷତିପୂରଣ ପ୍ରଦାନ କରିବେ। ଖାଲି ସେତିକି ନୁହଁ, କୁକୁର ପ୍ରେମୀ ବା ପ୍ରାଣୀ ପ୍ରେମୀମାନେ ଯଦି କୁକୁର ପ୍ରତି ଦୟା ମନୋଭାବ ରଖୁଛନ୍ତି ତାହେଲେ ସେମାନଙ୍କୁ ଖାଇବାକୁ ଦେବା ସହ ଆବଦ୍ଧ ଭିତରେ ରଖନ୍ତୁ। ଗତ ନଭେମ୍ବର ଅନ୍ତରୀଣ ଆଦେଶରେ କୋର୍ଟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦ୍ଦେଶ୍ଯରେ କହିଥିଲେ ଜାତୀୟ ରାଜପଥରୁ ବୁଲା କୁକୁରଙ୍କୁ ହଟାଇବା ଦାୟିତ୍ବ ହେଉଛି ଏନଏଚଏଆଇର। କିନ୍ତୁ ଏ ପର୍ଯ୍ଯନ୍ତ ତାହା ପୂରା ମାତ୍ରାରେ କାର୍ଯ୍ଯକାରୀ ହୋଇନି। ବୁଲାକୁକୁର ସମସ୍ଯାକୁ ଗୁରୁତର ସହ ନେଇ ସୁପ୍ରିମକୋର୍ଟ କହିଛନ୍ତି ଏଣିକି ଆଦେଶ ଠିକ ଭାବେ ପାଳନ ନ କରାଗଲେ ସରକାର ଓ ପ୍ରଶାସନକୁ ଜରିମାନା ଗଣିବାକୁ ପଡ଼ିବ। ଆସନ୍ତା ୨୦ ତାରିଖରେ ପରବର୍ତ୍ତୀ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ଯ କରିଛନ୍ତି।

