ଚଣ୍ଡିଖୋଲ : ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ସ୍କୁଲ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ । ବର୍ଷା ହେଲେ ପାଠପଢା ଠପ୍ । ବଡ଼ଚଣା ବ୍ଲକ ଚାରିନଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟରେ ଚାଲିଛି ଏଭଳି ପାଠପଢା । ସ୍କୁଲରେ ଶିଶୁବାଟିକା ଠାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହଜାରେ ପିଲା ପାଠ ପଢ଼ୁଛନ୍ତି । ହେଲେ ଆବଶ୍ୟକୀୟ କ୍ଲାସରୁମ ନାହିଁ । ବାଧ୍ୟ ହୋଇ ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ ।
ସ୍କୁଲରେ ଯେଉଁ ନୂତନ ଶ୍ରେଣୀ ଗୃହ ନିର୍ମାଣ ହେଉଛି ତାହା ଶେଷ ହୋଇପାରୁନି । ଅବ୍ୟବସ୍ଥା ଘେରରେ ଚାଲିଛି ପିଲାଙ୍କ ପାଠପଢା । ବିଦ୍ୟାଳୟରେ ଆବଶ୍ୟକୀୟ ଶିକ୍ଷକ ବି ନାହାନ୍ତି । ଫଳରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି । ଖାଲି ସେତିକି ନୁହେଁ ପିଲାଙ୍କ ଖେଳିବା ପାଇଁ ଖେଳ ପଡ଼ିଆ କି ସାଇକେଲ ଷ୍ଟାଣ୍ଡଟିଏ ନାହିଁ । ଶିକ୍ଷା ବ୍ୟବସ୍ଥାର ବିକାଶ ପାଇଁ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବାସ୍ତବ ଚିତ୍ର ସଂପୂର୍ଣ୍ଣ ଅଲଗା । ସମସ୍ୟା ସଂପର୍କରେ ବ୍ଲକ ଶିକ୍ଷାଧିକାରୀଙ୍କୁ ଅବଗତ କରାଯାଇଥିବା କହିଛନ୍ତି ପ୍ରଧାନ ଶିକ୍ଷକ । ବିଦ୍ୟାଳୟ ଭିତ୍ତିଭୂମିର ବିକାଶ ହେଲେ ହେବ ଶିକ୍ଷାର ବିକାଶ । ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି ।

